ପଶ୍ଚିମବଙ୍ଗ ଦାଦାଗିରିକୁ ଛାଟ : ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ
ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ନୁହେଁ, ଏଥର ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ। ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓ ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଏବଂ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସହ ଆଲୋଚନା ପରେ ଏପରି ବୟାନ୍ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏହି ଅବସରରେ ମନ୍ତ୍ରୀ ପାତ୍ର କହଛନ୍ତି, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକ୍କୁ ରାସ୍ତାରେ ଅଟକା ଯାଉଛି। ମାଡ଼ ମରାଯାଇ ୪୦ରୁ ୫୦ ହଜାର ଟଙ୍କା ଲେଖାଏ ଚାନ୍ଦା ଆଦାୟ କରାଯାଉଛି। ଏହାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା।
ତେଣୁ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ।
Powered by Froala Editor