ଘରୋଇ ଡାକ୍ତରଖାନାରେ ସରକାରଙ୍କ ଟିକା ଦିଆଯାଇ ପାରିବ ନାହିଁ

ଭୁବନେଶ୍ୱର : ରାଜ୍ୟର ଘରୋଇ ଡାକ୍ତରଖାନାରେ ସରକାର ଦେଉଥିବା ଟିକା ଦିଆଯାଇ ପାରିବ ନାହିଁ । କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନୀତିରେ ଘରୋଇ ହସ୍ପିଟାଲମାନେ ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ଟିକା କିଣିବା ଲାଗି କୁହାଯାଇଛି । ତେଣୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ବନ୍ଦ କରିଦେବା ସହିତ ଯଦି କୌଣସି ଟିକା ମହଜୁଦ ଥାଏ, ତାହାକୁ ଫେରାଇ ଆଣିବା ଲାଗି କୁହାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର କିଣୁଥିବା ଟିକାକୁ ରାଜ୍ୟର କେତେକ ଘରୋଇ ଡାକ୍ତରଖାନାରେ କ୍ୟାମ୍ପ କରି ଟିକା ଦେବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା । କେବଳ ୧୮-୪୪ବର୍ଗର ଲୋକଙ୍କୁ ଟିକା ଦେବାର ଏଥିରେ ବ୍ୟବସ୍ଥା ରହିଥିଲା । ମାତ୍ର କେନ୍ଦ୍ର ସରକାର ୧୮-୪୪ବର୍ଗ ସହିତ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ମାଗଣା ରେ ଟିକା ଯୋଗାଣ କରୁଥିବାରୁ ଘରୋଇ ଡାକ୍ତରଖାନାରେ କ୍ୟାମ୍ପକୁ ବାତିଲ କରାଯାଇଛି । ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ମହଜୁଦ ଥାଏ, ତାହାକୁ ଫେରାଇ ଆଣିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor