ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା : ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ବୟସ କ୍ଷେତ୍ରରେ ମଧ୍ୟ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ଅଗ୍ନିବୀର ଯୋଜନା’ । ଏହି ଯୋଜନା ଆମର ଅଗ୍ନିବୀରମାନେ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇଁ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାର ଓଡ଼ିଶା ୟୁନିଫର୍ମ ସେବା(ପୁଲିସ ଓ ଅନ୍ୟାନ୍ୟ ସେବା)ରେ ସେମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନ ଥିବେ, ସେମାନଙ୍କୁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତିରେ ୧୦ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ । ଏହାସହିତ ସେମାନଙ୍କ ବୟସସୀମା ମଧ୍ୟ ୫ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସିଆରପିଏଫ ମହାନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି ଯେ, ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ)ରେ ୧୦% ସଂରକ୍ଷଣ ଓ ବୟସ କୋହଳ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଯଦି ସିଆରପିଏଫରେ ଯୋଗ ଦେବେ, ସେ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ। ଏହାଛଡା ସେମାନଙ୍କ ମନୋନୟନ ପାଇଁ ୧୦% ଚାକିରୀରେ ସଂରକ୍ଷଣ ମଧ୍ୟ ଲାଗୁ ହେବ। ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯିବ ବୋଲି ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
Powered by Froala Editor