ଭିତର ରତ୍ନ ଭଣ୍ଡାରକୁ ଗଲେ ଗଜପତି ମହାରାଜା
ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାର ଖୋଲାଯାଇ ସାରିଥିବା ବେଳେ ପୁରୀ ଗଜପତି ମହାରାଜା ବି ଉପସ୍ଥିତ ଅଛନ୍ତି। ସେ ପୁରୀରେ ପହଞ୍ଚିବା ପରେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ଭିତର ରତ୍ନ ଭଣ୍ଡାରକୁ ଯାଇଥିବା ଜଣାଯାଇଛି।
ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯିବ। ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ପାଳି।
ଆଜି ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ସ୍ଥିର କରାଯାଇଥିଲା। ଏହାପୂର୍ବରୁ ପୂର୍ବାହ୍ନ ୯ଟା ବେଳେ କମିଟି ସଦସ୍ୟମାନେ ରଥ ଉପରେ ଥିବା ମହାପ୍ରଭୁଙ୍କୁ ପ୍ରଣିପାତ କରି ମନ୍ଦିର ଭିତରକୁ ପଶିଥିଲେ । ଏହାପରେ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ସମୟରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଓ ପରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ଜଣାଯାଇଛି। ଖଟଶେଯରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍କୁ ସବୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆଜି ସଂପୂର୍ଣ୍ଣ କରିବାକୁ ଆଶା ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।
Powered by Froala Editor