ଅସହ୍ୟ ଯନ୍ତ୍ରଣା ଦେଉଥିଲେ ସ୍ୱାମୀ, ବିଷ ପିଇ ଜୀବନ ହାରିଲେ ସ୍ତ୍ରୀ

ନୀଳଗିରି: ସ୍ତ୍ରୀ ଓ ଦୁଇ ପୁଅକୁ ନିର୍ଦ୍ଦୁମ ପିଟିବା ପରେ ଅସହ୍ୟ ଯନ୍ତ୍ରଣା ଦେଉଥିଲେ ସ୍ୱାମୀ । ସ୍ୱାମୀର ଏଭଳି ଅକଥନୀୟ ନିର୍ଯାତନା ସହିନପାରି ଶେଷରେ ବିଷ ପିଇ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଅମାନବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଧୀନ ଅଳସୁଆ ଗାଁରେ । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁର ସୁମନ୍ତ ବେହେରା(୪୫) କିଛିବର୍ଷ ପୂର୍ବେ ନୀଳଗିରି ଥାନା ବାଉଁଶବଣିଆ ଗାଁରେ ଘର କରି ରହି ଆସୁଥିଲା । ବାଉଁଶବଣିଆ ଛକରେ ଏକ ଷ୍ଟୁଡ଼ିଓ କରି ପରିବାର ପ୍ରତିପୋଷଣ କରିବାବେଳେ ଦୈନନ୍ଦିନ ସ୍ତ୍ରୀ ବବିତା (୩୮) ଓ ଦୁଇ ପୁଅଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗତ ଶନିବାର ରାତିରେ ସେ ଷ୍ଟୁଡ଼ିଓରୁ ଆସିବା ପରେ ଘର ବାହାରେ ସ୍ତ୍ରୀକୁ ଡାକିଥିଲେ ହେଁ କବାଟ ଖୋଲିବାରେ ସ୍ତ୍ରୀ ବିଳମ୍ବ କରିବାରୁ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ପୁଅ ଦୁଇଟିକୁ ମଧ୍ୟ ଘୋଷାଡ଼ି ପିଟିଥିବା ଅଭିଯୋଗ ହୋଇଛି । ବାରମ୍ବାର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ମହିଳା ଜଣକ ବିଷ ପିଇ ଦେଇଥିଲେ । ପଡ଼ୋଶୀ ତାଙ୍କୁ ପ୍ରଥମେ ନୀଳଗିରି ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରୁ ପୁଣି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ମହିଳାଙ୍କ ମୃତ୍ୟୁ ଘଟିଛି ।
Powered by Froala Editor