ଦୁଇ ମାସ ବନ୍ଦ ପରେ ୨୮ରୁ ପୁଣି ଖୋଲିବ ଏମ୍ସ ଓପିଡି
ଭୁବନେଶ୍ୱର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଆସନ୍ତା ୨୮ରୁ ପୁଣି ଖୋଲିବ ଏମ୍ସ ଓପିଡି । ଯାହାକି ଚିକିତ୍ସା ଅପେକ୍ଷାରେ ଥିବା ହଜାର ହଜାର ଅଣକୋଭିଡ୍ ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଆଜି ଏମ୍ସର ନିର୍ଦ୍ଦେଶକ ଡା. ଗୀତାଞ୍ଜଳି ବି, ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଏମ୍ସ ଓପିଡି ଖୋଲିବା ସମେତ ଆଉ୧୦ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଏମ୍ସରେ ଟେଲି ମେଡିସିନ ସେବା ପୂର୍ବଭଳି ଜାରି ରହିବ । ତେବେ ଭଏସ୍ କଲ ନୁହେଁ; କେବଳ ହ୍ୱାଟ୍ସଆପ୍ ଜରିଆରେ ରୋଗୀ କିମ୍ବା ସମ୍ପର୍କୀୟଙ୍କୁ ପରାମର୍ଶ ଦିଆଯିବ । ରୋଗୀଙ୍କ ପାଇଁ ନୂତନ ଏମ୍ଆର୍ଆଇ ପ୍ୟାକେଜ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା । ଏକାଧିକ ଏମ୍ଆର୍ଆଇ ଫ୍ରେମ ଆବଶ୍ୟକ କରୁଥିବା ରୋଗୀଙ୍କ ନିକଟରୁ ଏଥିପାଇଁ ଅତିରିକ୍ତ ଟଙ୍କା ନିଆଯିବ । ୩ ଫ୍ରେମ୍ ବିଶିଷ୍ଟ ଏମ୍ଆର୍ଆଇ ପାଇଁ ଯଥାକ୍ରମେ ୫ ହଜାର ଏବଂ ୭ ହଜାର ଟଙ୍କା ଆଦାୟ ପାଇଁ ନିଷ୍ପତ୍ତି ହୋଇଛି ।
ଅନ୍ୟପକ୍ଷରେ ଏମ୍ସରେ ଅନେକ ସମୟରେ ରୋଗୀଙ୍କ ଆଟେଣ୍ଡାଣ୍ଟ ଆସୁନଥିବାରୁ ଅନେକ ରୋଗୀଙ୍କ ମରଶରୀର ଶବ ଗୃହକୁ ନେବାରେ ବିଳମ୍ବ ହେଉଛି । ଏଭଳି ସ୍ଥିତିରେ ପୁଲିସକୁ ସୂଚନା ଦିଆଯାଇ ମେଡିକାଲ ଅଧୀକ୍ଷକଙ୍କ ଅନୁମତିରେ ମରଶରୀରକୁ ଶବ ଗୃହକୁ ପଠାଯିବ । ରୋଗୀଙ୍କ ସ୍ଥାନାନ୍ତରଣ ପାଇଁ ଶଯ୍ୟା ପରିବର୍ତ୍ତେ ଟ୍ରାନ୍ସପୋର୍ଟ ଟ୍ରଲି ବ୍ୟବସ୍ଥା କରାଯାଇଥିବାବେଳେ ଡାକ୍ତରଖାନାରେ ଯେକୌଣସି ସମୟରେ ଯାନ୍ତ୍ରିକ ସମସ୍ୟା ହେଲେ ୨୪ ଘଣ୍ଟା ଆଇଟି କର୍ମଚାରୀ ଉପସ୍ଥିତ ରହିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଏମ୍ସରେ କୋଭିଡ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଲଗାତାର କୋଭିଡ ସଂକ୍ରମଣର ଶିକାର ହେବା ପରେ ଗତ ଏପ୍ରିଲ ମାସ ୨୬ ତାରିଖରୁ ଓପିଡି ବନ୍ଦ କରି ଦିଆଯାଇଥିଲା । କୋଭିଡ, କର୍କଟ ଆଦି ୧୦ଟି ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ଏକ ପ୍ରକାର ଅଚଳ ହୋଇ ଯାଇଥିଲା । ଫଳରେ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଅଣକୋଭିଡ୍ ରୋଗୀ ହନ୍ତସନ୍ତ ହେଉଥିଲେ । ବିଶେଷକରି ଗରିବ ଓ ଶ୍ରମିକ ଶ୍ରେଣୀର ରୋଗୀମାନେ ଘରୋଇ ହସ୍ପିଟାଲ୍କୁ ଧାଇଁ ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଥିଲେ । ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଥିଲା । ଏବେ ଏମ୍ସ ଓପିଡି ଖୋଲିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।
Powered by Froala Editor