ସଉଦା ପାଇଁ ଯାଇଥିଲେ ଦିନ ମଜୁରିଆ, ଫେରିଲେନି
ଜଣେ ଦିନ ମଜୁରିଆକୁ ପିଟି ହତ୍ୟା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ନିକଟ ଏକ କାଜୁ ଜଙ୍ଗଲରୁ ମଜୁରିଆଙ୍କ ମୃତଦେହ ମିଳିଛି । ସେ ହେଲେ ବାଗିଆଦାଣ୍ଡ ଗ୍ରାମର ତୁନ୍ଦା ମିଞ୍ଜ । ୫୨ ବର୍ଷୟୀ ତୁନ୍ଦାଙ୍କ ହତ୍ୟାର କାରଣ ଜଣାପଡ଼ିନି । ଅନ୍ୟପଟେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଝିଅ ପ୍ରତିମା କୁଜୁର ଅଭିଯୋଗ କରିଛନ୍ତି । ପ୍ରତିମାଙ୍କ ଅଭିଯୋଗ ଅନୁଯାୟୀ ୨ ଜଣଙ୍କୁ ପୁଲିସ ଅଟକ ରଖିଛି ।
ପୁଲିସର କହିବାନୁଯାୟୀ, ତୁନ୍ଦା ଜଣେ ଦିନ ମଜୁରିଆ । ସୋମବାର କାଦୋବାହାଲ ସାପ୍ତାହିକ ହାଟକୁ ୩ହଜାର ଟଙ୍କା ନେଇ ସଉଦା ପାଇଁ ଯାଇ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ମଙ୍ଗଳବାର ସକାଳେ କିଛି ଲୋକ ଭାଦ୍ରାଟୋଲି ନିକଟସ୍ଥ କାଜୁ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଜଣାଇଥିଲେ । ସେହି ସମୟରେ ବାଗିଆଦାଣ୍ଡ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ତୁନ୍ଦାଙ୍କ ମୃତଦେହ ଚିହ୍ନଟ କରିଥିଲେ ।
ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ବାଡ଼ି କିମ୍ବା ଠେଙ୍ଗାରେ ମାଡ଼ ହେବା ଭଳି ଚିହ୍ନ ରହିଛି । ମୁଣ୍ଡକୁ ଶକ୍ତ ପ୍ରହାର କରାଯାଇଥିବାରୁ ମୁଣ୍ଡ ଫାଟିଯାଇଛି । ପ୍ରବଳ ରକ୍ତସ୍ରାବ ହେବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି । କିନ୍ତୁ ଝିଅ ପ୍ରତିମା ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଥାନାରେ ଥଟକ ରଖି ପଚରାଉଚରା ଚଳାଇଛି ।
ତୁନ୍ଦାଙ୍କ ପରିବାର ଅତ୍ୟନ୍ତ ଗରିବ । ସେ ଦିନ ମଜୁରିଆ ହୋଇଥିବାବେଳେ ପରିବାର ଲୋକଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ ଥିଲା । କିନ୍ତୁ କିଏ, କାହିଁକି ତୁନ୍ଦାଙ୍କୁ ହତ୍ୟା କଲା ଜଣାପଡିନଥିବାବେଳେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।
Powered by Froala Editor