ଡିନାମାଇଟ୍ ଫୁଟାଇ ମାଛ ମାରିବାକୁ ଯାଇଥିଲେ, ଯୁବକଙ୍କ ଜୀବନ ଗଲା
ଡିନାମାଇଟ ଫୁଟାଇ ମାଛ ମାରିବା କାଳ ହୋଇଛି । ଡିନାମାଇଟ ଫୁଟିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଥନ୍ତର୍ଗତ ରେଙ୍ଗାଳି ଡ୍ୟାମ ତୁଡ଼ାପାଣି ଅଞ୍ଚଳରେ । ମୃତକ ହେଉଛନ୍ତି ବାରକୋଟ୍ ଥାନା ଅନ୍ତର୍ଗତ ଅସନନାଳି ଗ୍ରାମର କ୍ଷମାନିଧି ଧିବର(୩୩) । ଘଟଣାରେ କ୍ଷମାନିଧିଙ୍କ ଆଉ ଦୁଇ ସହଯୋଗୀ ଗୁରୁତର ହୋଇଛନ୍ତି ।
ମଙ୍ଗଳବାର ସକାଳୁ ଭାଲୁମୁଣ୍ଡା ଗ୍ରାମର ଦୁଇଜଣ ଯୁବକ କ୍ଷମାନିଧିଙ୍କୁ ନେଇ କୁଣ୍ଢେଇଗୋଳା ଥାନା ଭୁଲକାବାହାଳ ଗ୍ରାମ ଚୁଆହୁଳି ନିକଟକୁ ମାଛ ଧରିବା ପାଇଁ ଯାଇଥିଲେ । ଗଲାବେଳେ ସାଙ୍ଗରେ ଏକ ଡଙ୍ଗା ନେଇ ଯାଇଥିଲେ । ପାଣିକୁ ଡିନାମାଇଟ୍ ପକାଇ ବିସ୍ଫୋରଣ କରିବା ପରେ ମାଛ ମରିଥାନ୍ତେ । ଏଭଳି କିଛି ଯୋଜନା କରି ସେମାନେ ଯାଇଥିଲେ । କ୍ଷମାନିଧି ଏକ ଡିନାମାଇଟ୍ରେ ଅଗ୍ନି ସଂଯୋଗ କରି ପାଣିକୁ ଫିଙ୍ଗିବା ପୂର୍ବରୁ ତାଙ୍କ ହାତରୁ ଖସି ପଡ଼ି ପାଖରେ ଫୁଟିଥିଲା । ଡିନାମାଇଟ ବିସ୍ଫୋରଣ ଫଳରେ କ୍ଷମାନିଧିଙ୍କ ଶରୀରର ଅର୍ଦ୍ଧାଧିକ ପୋଡ଼ିଯିବା ସହ ଡଙ୍ଗାଟି ଓଲଟି ପଡ଼ିଥିଲା । କ୍ଷମାନିଧି ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସାଙ୍ଗରେ ଯାଇଥିବା ଅନ୍ୟ ଦୁଇ ଯୁବକ ପହଁରି କୂଳକୁ ପଳାଇ ଆସି ଗାଁ ଲୋକଙ୍କୁ ଜଣାଇଥିଲେ । ତୁରନ୍ତ ଦେବଗଡ଼ ଦମକଳ ବାହିନୀ ପହଞ୍ଚି ପାଣିରୁ କ୍ଷମାନିଧିଙ୍କ ଶବ ଉଦ୍ଧାର କରିଥିଲେ । ହେଲେ ତାଙ୍କର ମୃତ୍ୟୁ ଘଟିସାରିଥିଲା ।
Powered by Froala Editor