୪ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ, ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ସଂକ୍ରମଣ କମୁଛି । ଦ୍ୱିତୀୟ ଲହରର କୋପ ଥମି ଆସୁଛି । ହେଲେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । ୪ଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ କର୍ଣ୍ଣାଟକରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ଡେଲ୍ଟା ପ୍ଲସ୍ ପ୍ରଜାତିର ୨୦୦ ଟି ମାମଲା ସମଗ୍ର ବିଶ୍ବରେ ଚିହ୍ନଟ ହୋଇଥିବାବେଳେ ଭାରତରେ ଏହି ସଂଖ୍ୟା ୩୦ ରହିଥିବା ଜଣାପଡ଼ିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୨୨ଟି ଡେଲ୍ଟା ପ୍ଲସ୍ ମାମଲା ରହିଛି।
ସଂଗୃହୀତ ନମୁନା ଜେନୋମ୍ ସେକ୍ୱେନ୍ସିଂରୁ ଜଣାପଡ଼ିଛି ଯେ ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗାଓଁ ଜିଲ୍ଳାରୁ, କେରଳର ପାଲାକ୍କାଡ଼ ଓ ପଥାନାମଥିଟ୍ଟା ଜିଲ୍ଲାରୁ ଏବଂ ମଧ୍ୟ ପ୍ରଦେଶର ଭୋପାଳ ଓ ଶିବପୁରୀ ଜିଲ୍ଲାରୁ ଏହି ଡେଲଟା ପ୍ଲସ୍ ଭାଇରସ ଭାରିଆଣ୍ଟ ମିଳିଛି।
ଦେଶର ପ୍ରଥମ ଡେଲ୍ଟା ପ୍ଲସ୍ ମାମଲା ମଧ୍ୟପ୍ରଦେଶର ଭୋପାଳରେ ଚିହ୍ନଟ ହୋଇଥିଲା। ଜଣେ ୬୪ ବର୍ଷୀୟା ମହିଳା ସଂକ୍ରମିତ ହୋଇଥିଲେ। ତେବେ ସେ ଗୃହ ସଙ୍ଗରୋଧରେ ରହି ସୁସ୍ଥ ହୋଇଥିଲେ। ଏହାପରେ ଅନ୍ୟ ୪ଟି ମାମଲା ଚିହ୍ନଟ ହୋଇଥିଲା। ଏଥିରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମହାରାଷ୍ଟ୍ରରେ ଜୁନ୍ ୨୨ ସୁଦ୍ଧା ୨୧ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୯ଟି ମାମଲା ରତ୍ନଗିରିରେ ଥିବାବେଳେ ଜଲ୍ଗାଓଁରେ ୭ଟି, ଥାନେରେ ୨ଟି ଏବଂ ମୁମ୍ବାଇ, ପଲ୍ଘର ଏବଂ ସିନ୍ଧୁଦୁର୍ଗ ଜିଲ୍ଲାମାନଙ୍କରେ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ସେହିପରି କେରଳର ପଲକ୍କଡ଼ ଏବଂ ପଥନମଥିତ୍ତ ଜିଲ୍ଲାରେ ୨ଟି ମାମଲା ଚିହ୍ନଟ ହୋଇଛି। ଏଥିରେ ଜଣେ ୪ ବର୍ଷର ଶିଶୁ ରହିଛି। କର୍ଣ୍ଣାଟକରେ ମଧ୍ୟ ୨ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ରାଜ୍ୟଙ୍କୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ଯେଉଁ ଜିଲ୍ଲାମାନଙ୍କରେ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି ସେଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବା ସହ ଅବରୋଧ ଅଞ୍ଚଳ କରିବାକୁ କୁହାଯାଇଛି।
ଅନ୍ୟପକ୍ଷେ ୯ଟି ଦେଶ ତଥା ଭାରତ ସମେତ ଆମେରିକା, ବ୍ରିଟେନ୍, ପର୍ତ୍ତୁଗାଲ୍, ସ୍ବିଜରଲାଣ୍ଡ୍, ଜାପାନ , ପୋଲାଣ୍ଡ୍, ରୁଷ୍, ଚୀନ୍ରେ ଏହି ପ୍ରଜାତି ଚିହ୍ନଟ ହୋଇଛି। ଡେଲ୍ଟା ପ୍ରଜାତିର ରୂପାନ୍ତରିତ ରୂପ ଡେଲ୍ଟା ପ୍ଲସ୍ ତଥା ଏୱାଇ.୦୧ ପାଇଁ ଆଗାମୀ ମାସରେ ତୃତୀୟ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
Powered by Froala Editor