୧୪ ଖରିଫ ଫସଲର ଏମଏସପି ବଢିଲା : ଧାନ କ୍ୱିଣ୍ଟାଲ ପିଛା ୨୩ ଶହ ଟଙ୍କାରେ ବିକ୍ରି କରିବେ ଚାଷୀ
କେନ୍ଦ୍ରରେ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି। ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ପୂର୍ବ ବର୍ଷର ଦର ଅପେକ୍ଷା କେନ୍ଦ୍ର ସରକାର ଧାନର ଏମଏସ୍ପିରେ ୧୧୭ ଟଙ୍କା ବଢ଼ାଇଛନ୍ତି। ବର୍ଦ୍ଧିତ ଦର ପରେ ଚାଷୀମାନେ ନିଜର ଧାନକୁ କ୍ୱିଣ୍ଟାଲ ପିଛା ୨୩ ଶହ ଟଙ୍କାରେ ବିକ୍ରି କରିପାରିବେ। ଗତବର୍ଷ ଚାଷୀଙ୍କୁ ଧାନ ପାଇଁ ୨୧୮୩ ଟଙ୍କା ମିଳୁଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଧାନ ସହ ୧୪ଟି ଖରିଫ ଫସଲର ଦର ବୃଦ୍ଧି ଉପରେ ମୋହର ମାରିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ”କୃଷକ କଲ୍ୟାଣ ପାଇଁ ଅନେକ ନିଷ୍ପତ୍ତି ମାଧ୍ୟମରେ ପରିବର୍ତ୍ତନ ସହିତ ନିରନ୍ତରତା ଉପରେ ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ନିଷ୍ପତ୍ତି ସହିତ କୃଷକମାନେ ଏମଏସପି ଆକାରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଯାହା ପୂର୍ବ ସିଜିନ୍ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ।”
ସେହିପରି ସାଧାରଣ କଟନର ଏମଏସ୍ପିକୁ ୭,୧୨୧ ଓ ଆଉ ଏକ ବର୍ଗର କଟନର ଏମଏସ୍ପି ୭୫୨୧ ଟଙ୍କା ହୋଇଛି। ଏହାର ପୂର୍ବ ଏମଏସ୍ପି ତୁଳନାରେ ୫୧୦ ଟଙ୍କା ଅଧିକ। ବାଜରାର ଅଟାର(ଜୋୱାର) ଦାମ ୩,୩୭୧ ଟଙ୍କା, ରାଗିର ଦାମ ୪,୨୯୦ ଟଙ୍କା, ବାଜରାର ଦାମ ୨୬୨୫ ଟଙ୍କା ଓ ମକାର ଏମଏସ୍ପି ୨,୨୨୫ ଟଙ୍କାକୁ ବୃଦ୍ଧି ପାଇଛି।
ଏହାବାଦ ଡାଲି ଜାତୀୟ ଦ୍ରବ୍ୟର ମଧ୍ୟ ଏମଏସ୍ପି ବୃଦ୍ଧି କରାଯାଇଛି। ମୁଗ ଡାଲିକର ଏମଏସ୍ପି ୮,୬୮୨ ଟଙ୍କା ହୋଇଥିବା ବେଳେ ମସୁର ଡାଲିର ଦାମ ୭୫୫୦ ଟଙ୍କା ହୋଇଛି। ପୂର୍ବବର୍ଷ ଅପେକ୍ଷା ଏହାର ଦାମ ୫୫୦ ଟଙ୍କା ବୃଦ୍ଧି କରାଯାଇଛି। ବିରି ଡାଲିର ଦାମ ୭,୪୦୦ ଟଙ୍କା କରାଯାଇଛି। ସୂର୍ଯ୍ୟମୂଖୀ ଓ ବାଦାମ ଦାମ ବି ସରକାର ବୃଦ୍ଧି କରିଛନ୍ତି। ବାଦାମ କ୍ୱିଣ୍ଟାଲ ପିଛା ଚାଷୀମାନେ ୬୭୮୩ ଟଙ୍କା ପାଇବେ।
Powered by Froala Editor