ସିପିପି ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେଲେ ସୋନିଆ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍ପିଙ୍କ ବୈଠକରେ ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି।
ଶନିବାର (ଜୁନ୍ ୮) ସନ୍ଧ୍ୟାରେ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳୀୟ ସାଂସଦମାନଙ୍କ ବୈଠକରେ ତାଙ୍କୁ ପୁନଃ ନେତା ଭାବେ ନିର୍ବାଚିତ କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆ ଗାନ୍ଧୀଙ୍କୁ ସଂସଦୀୟ ଦଳର ମୁଖ୍ୟ ଭାବେ ଚୟନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତ ସାଂସଦ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ। ଏହା ପୂର୍ବରୁ କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରଖିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲା ।
ସୂତ୍ରରୁ ପ୍ରକାଶ ଯେ, ରାହୁଲ ବିରୋଧୀ ଦଳର ନେତା ହେବା ନେଇ କଂଗ୍ରେସ ନେତା କେ.ସି ବେଣୁଗୋପାଳ କହିଛନ୍ତି, ତାଙ୍କୁ ବିରୋଧୀ ଦଳର ନେତା ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ। ସର୍ବଶେଷରେ ଲୋକମାନେ ତାଙ୍କୁ ସେମିତି ଦେଖିବାକୁ ଚାହାନ୍ତି। ଇଣ୍ଡିଆ ଦଳ ଏବଂ କଂଗ୍ରେସ ଲୋକମାନେ ମଧ୍ୟ ସେହି ପଦବୀରେ ରାହୁଲଙ୍କୁ ଦେଖିବାକୁ ଚାହାନ୍ତି।
Powered by Froala Editor