ପାଣ୍ଡିଆନ ନୁହଁନ୍ତି, ଓଡ଼ିଶା ଲୋକ ଉତ୍ତରାଧିକାରୀ ସ୍ଥିର କରିବେ
ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ଆକ୍ରମଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ୍ ଡାକି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବୀନ । ସେ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ଏହି କଥାକୁ କାହିଁକି ବଢ଼ାଇଚଢ଼ାଇ ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ସ୍ୱାସ୍ଥ୍ୟ ପ୍ରସଙ୍ଗ ଠାରୁ ଆରମ୍ଭ କରି ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରିବା ସହ ନବୀନ କହିଛନ୍ତି - ରାଜ୍ୟବାସୀଙ୍କ ସେବା କରିବାକୁ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ପ୍ରଧାନମନ୍ତ୍ରୀ ଫୋନ କରି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ହତାଶ ହୋଇ ମିଥ୍ୟା ପ୍ରଚାର କରୁଛି ବିଜେପି।
ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ଏହି ସାକ୍ଷାତକାରରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ’ ପାଖରେ ଅଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ନବୀନ ପଟ୍ଟନାୟକଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଏହାକୁ ପ୍ରୟୋଜିତ ସାକ୍ଷାତକାର କହି କଟାକ୍ଷ କରିଛନ୍ତି ବିଜେପି ନେତା ।
Powered by Froala Editor