୧୫୦ଫୁଟ ତଳକୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ: ୨୧ ଜଣ ମୃତ

ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି ଜିଲ୍ଲାର ପ୍ରସିଦ୍ଧ ଶିବ ଖୋରି ମନ୍ଦିରକୁ ଯାଉଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ। ଅଖନୁରର ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା।
ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ମୃତକ ଓ ଆହତ ଯାତ୍ରୀଙ୍କ ପରିବାରକୁ ଏହି ଦୁର୍ଘଟଣା ସମ୍ପର୍କରେ ଖବର ଦିଆଯାଇଛି।
Powered by Froala Editor