ବାଂଲାଦେଶ ସାଂସଦଙ୍କୁ ନିର୍ମମ ହତ୍ୟା; ମୃତଦେହରୁ କାଢି ନିଆଯାଇଛି ଚର୍ମ, କଂସେଇ ଗିରଫ

ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନୱାରଙ୍କ ହତ୍ୟା ମାମଲାରେ ଏକ ସାଙ୍ଘାତିକ ଦିଗ ସାମ୍ନାକୁ ଆସିଛି। ହତ୍ୟା ପରେ ସାଂସଦ ଅନୱାରଙ୍କ ଚର୍ମ କାଢି ନିଆଯିବା ସହ ହାଡ଼କୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ସିଆଇଡି ଟିମ୍।
ଜଣେ କଂସେଇ ଥିବା ବ୍ୟକ୍ତି ଜଣକ ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ ପୀଡ଼ିତଙ୍କ ମୃତଦେହକୁ କାଟିବାରେ ସେ ଅନ୍ୟ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିଲେ ଏବଂ ବିଭିନ୍ନ ସ୍ଥାନରେ କଟା ଅଙ୍ଗଗୁଡ଼ିକୁ ଫିଙ୍ଗି ଦେଇଥିଲେ। ଶୁକ୍ରବାର ରାଜ୍ୟ ସିଆଇଡି ଅଧିକାରୀମାନେ ଗିରଫ ବ୍ୟକ୍ତିଙ୍କୁ ଭଙ୍ଗର ଅଞ୍ଚଳକୁ ନେଇ ଯାଇଥିଲେ, ଯେଉଁଠାରେ କଟା ଶରୀରର ଅଙ୍ଗଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖାଯାଇ ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆ ଯାଇଥିଲା।
କେବଳ ଏତିକି ନୁହେଁ, ସାଂସଦଙ୍କ ହତ୍ୟା ପଛରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ହାତ ଥିବା ବେଳେ ଏଥିପାଇଁ ୫ କୋଟି ଟଙ୍କାର ସୁପାରି ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ସାଂସଦଙ୍କ ଘନିଷ୍ଠ ବନ୍ଧୁ ତଥା ଆମେରିକୀୟ ନାଗରିକ ଅଖତରୁଜମାନ ଏହି ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ପାଖାପାଖି ୫ କୋଟି ଟଙ୍କା ଦେଇଥିଲେ। ଏହି ମାମଲାରେ ବାଂଲାଦେଶ ପୁଲିସ ଦ୍ୱାରା ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପାଇଁ ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍ ଗୁରୁବାର ବାଂଲାଦେଶ ଗସ୍ତ କରିଛି।
ସୂଚନା ଅନୁସାରେ, କୋଲକାତା ବିମାନବନ୍ଦର ସ୍ଥିତ ଏକ ଭଡ଼ା ଘରୁ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ପରିଚୟ ନଷ୍ଟ ପାଇଁ ଶରୀରରୁ ଚର୍ମ କାଢି ନିଆଯିବା ସହ ହାଡକୁ ଖଣ୍ଡ ଖଣ୍ଡ କରାଯାଇଛି।
Powered by Froala Editor