ଆମ ସାଙ୍ଗରେ ରହିବନି ଆମ ଛାଇ : ୨୧ ଓ ୨୨ରେ ଟ୍ୱିନ୍ସିଟିରେ ହେବ ଶୂନ୍ୟଛାୟା ଦିବସ
କଥାରେ ଅଛି ଛାଇ ଆମର ଭାଇ କେବେ ଆମର ପିଛା ଛାଡଇ ନାହିଁ । ପିଲାଟି ଦିନରୁ ଶୁଣି ଆସିଥିବା ଏହି କଥାଟିର ଅର୍ଥ ହେଲା ଛାଇ ସଦାବେଳେ ଆମ ସାଙ୍ଗରେ ରହିଥାଏ । ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ?
କିନ୍ତୁ ମଜାର କଥା ହେଲା ଯେ ଏହି ଉକ୍ତିଟି ଠିକ ନୁହେଁ ବୋଲି ଜ୍ୟୋତିର୍ବିଜ୍ଞାନୀ କୁହନ୍ତି। ବର୍ଷରେ ଏପରି ଦୁଇଟି ଦିନ ଅଛି ଯେବେ ଦିନ ଦୁଇ ପହର ରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଆମର ପିଛା ଛାଡିଦିଏ ଅର୍ଥାତ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ । ଏହାର କାରଣ ବର୍ଷର ସେହି ଦୁଇଟି ଦିନ ମଧ୍ୟାହ୍ନରେ ସୂର୍ୟ୍ୟ ଆମର ଠିକ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି ।
ଗତବର୍ଷ ଏପ୍ରିଲ ମାସ ୨୧ ତାରିଖରେ ଭୁବନେଶ୍ୱରରେ ମଧ୍ୟ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ଠିକ ଆମ ମୁଣ୍ଡ ଉପରେ ରହିବା ସମୟରେ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ମେ ୨୧ ତାରିଖ ସକାଳ ୧୧.୪୩ ସମୟରେ ଭୁବନେଶ୍ୱରରେ ଓ ମେ ୨୨ ତାରିଖ ସକାଳ ୧୧.୪୩ ସମୟରେ କଟକରେ ଏହି ଶୂନ୍ୟ ଛାୟା ଦିବସର ଝଲକ ଦେଖିବାକୁ ମିଳିବ । ସେହିପରି ମେ ୨୮ରେ ବୁର୍ଲା, ଜୁନ ୨ରେ ରାଉରକେଲା, ମେ ୨୩ରେ ବଲାଙ୍ଗିର ଓ ମେ ୩୧ରେ ବାରିପଦାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ।
Powered by Froala Editor