ସମ୍ବଲପୁର ଜନସଭାରେ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନବାଣ

ସମ୍ବଲପୁର: ସମ୍ବଲପୁର ଜନସଭାରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ ମାରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ସମ୍ବଲପୁର କୋଶଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟକୁ ୫ଥର ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ପରେ ମଧ୍ୟ କାହିଁକି ସମ୍ବଲପୁରୀ, କୋଶଳୀ ଭାଷା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସମ୍ବଲପୁରୀ ଶାଢୀ ପାଇଁ କଳାଭୂମିରେ ମ୍ୟୁଜିୟମ କରୁଛନ୍ତି, କିନ୍ତୁ ୧୦ ବର୍ଷ ହେବ କେନ୍ଦ୍ରମନ୍ତ୍ରୀ ରହିଥିଲେ ମଧ୍ୟ ସମ୍ବଲପୁରୀ ଶାଢୀ ପାଇଁ କଣ କରିଛନ୍ତି ? ସମ୍ବଲପୁର ଶାଢୀ ଡିଜାଇନରେ ଓଡ଼ିଶାର କୃଷି ଭବନର ନିର୍ମାଣ ହୋଇଛି । ଏହାଦ୍ୱାରା ସମ୍ବଲପୁରର ପରିଚୟ ଓ ଗୌରବକୁ ଆହୁରି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି । ଏହି ଡିଜାଇନର ବିଲ୍ଡିଂ ସାରା ବିଶ୍ୱରେ ଏକ ନମ୍ବର କୋଠା ମହଲା ଭାବେ ପୁରସ୍କୃତ ହେଲା ।
ବୁଣାକାର ଭାଇ ଓ ଭଉଣୀଙ୍କୁ ସୁବିଧା ଯୋଗାଇ ଦେବା ସହ ଆର୍ଥିକ ସଶକ୍ତ କରିବାକୁ ବିଭିନ୍ନ ପ୍ୟାକେଜ ଆଣିଛନ୍ତି ନବୀନ । କେନ୍ଦ୍ର କ୍ୟାବିନେଟରେ ଧର୍ମେନ୍ଦ୍ର ୧୦ ବର୍ଷ ମନ୍ତ୍ରୀ ଥିବାବେଳେ ଚାହିଁଥିଲେ ସମ୍ବଲପୁରକୁ ଟେକ୍ଟଟାଇଲ ପାର୍କ ଆଣିପାରିଥାନ୍ତେ । ବାହାର ଦେଶକୁ ଶାଢୀ ପଠାଇବାକୁ ବ୍ୟବସ୍ଥା କରିପାରିଥାନ୍ତେ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାହା କଲେ କି? ଏ ଅଞ୍ଚଳର ବୀରପୁତ୍ର, ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ବିଜେପି ସରକାର କଣ କରିଛି? କିନ୍ତୁ ନବୀନ ପଟ୍ଟନାୟକ ସବୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ଯୋଜନା ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ କରୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ କେନ୍ଦ୍ର ସରକାର କେଉଁ ଗୋଟିଏ ବି ଯୋଜନା ସମ୍ବଲପୁର ମାଟିର ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ ରଖିଛନ୍ତି କି?
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଛତିଶଗଡ ସରକାର ସହ ଛିଡା ହୋଇଥିଲେ । ସେତେବେଳେ ଓଡ଼ିଶାକୁ ଭୁଲିଗଲେ । ଓଡ଼ିଶାର ଚାଷୀ ଭାଇଙ୍କୁ ଭୁଲି ଭୋଟ ରାଜନୀତି କଲେ । ଟ୍ରିବ୍ୟୁନାଲ ଗଠନ କରିବାକୁ ବିରୋଧ କରିଥିଲେ । ସେଥିରେ କେନ୍ଦ୍ରମନ୍ତ୍ରୀଙ୍କର ବଡ ଭୂମିକା ରହିଥିଲା । ସମ୍ବଲପୁରର ଚାଷୀଙ୍କ ବିରୋଧରେ ଲାଗିଥିଲେ କେନ୍ଦ୍ରମନ୍ତ୍ରୀ । ସମଲେଇ ପ୍ରକଳ୍ପ ପାଇଁ ପ୍ରଣବ ପ୍ରକାଶ ବହୁତ ପରିଶ୍ରମ କରିଛନ୍ତି । ମା’ଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାମ ସୂଚାରୁ ରୂପେ ହେଲା । ମା’ ସମଲେଇଙ୍କ କାମକୁ ବନ୍ଦ କରିବାକୁ ଲୋକ ଲଗାଇ ସୁପ୍ରିମକୋର୍ଟ ପଠାଇଥିଲେ ବିଜେପି ସାଂସଦ ପ୍ରାର୍ଥୀ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ି ସମ୍ବଲପୁରବାସୀଙ୍କ ସେବା କରିବାକୁ ତାଙ୍କ ସେନାପତିଙ୍କୁ ଏଠାକୁ ପଠାଇଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କ ପାଖରୁ କେନ୍ଦ୍ର ଜିଏସଟି ନେବା ଠିକ୍ କି? ପଦ୍ମପୁର ଉପ-ନିର୍ବାଚନ, ବିଜେପୁର ଉପ-ନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ତାହାକୁ ଭୁଲିଗଲେ । କିନ୍ତୁ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ସହ ଜିଏସଟି ଟଙ୍କା ଭରଣା ପାଇଁ ଉଦ୍ୟମ କରୁଥିବା କହିଛନ୍ତି ପାଣ୍ଡିଆନ ।
Powered by Froala Editor