ପୁଣି ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ, ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ମୌସୁମୀ ଆସିବା ପୂର୍ବରୁ ତାତି ଅସହ୍ୟ ହୋଇପଡିବ। ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍) ଅନୁଭୂତ ହେବା ସହିତ ତାପମାତ୍ରା ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହ ୧୮ ଓ ୧୯ରେ କନ୍ଧମାଳ, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ମାଲକାନଗିରି, ସୋନପୁର ଆଦି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଅପରପକ୍ଷେ ବୁଧବାର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୦.୩, ସମ୍ବଲପୁର ୪୦.୫, ଝାରସୁଗୁଡ଼ା ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା।
Powered by Froala Editor