ଏଥର କୋଟିଆ ପଞ୍ଚାୟତରେ ବୃଦ୍ଧି ପାଇଛି ଭୋଟ ହାର

ପଟାଙ୍ଗି: ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜରେ ଭୋଟ ଗ୍ରହଣ ହୋଇଛି। ଶୃଙ୍ଖଳିତ ଭାବେ ମତଦାନ ହୋଇଥିବା ବେଳେ ଭୋଟହାର ବୃଦ୍ଧି ପାଇଛି। ଗତ ନିର୍ବାଚନରେ ଭୋଟହାର ୬୮ ପ୍ରତିଶତ ଥିବା ବେଳେ ଚଳିତ ନିର୍ବାଚନରେ ବୃଦ୍ଧି ପାଇ ୭୬.୫୩ ପ୍ରତିଶତ ହୋଇଥିବା ଜଣାପଡିଛି। ପଞ୍ଚାୟତର ୯ ଗୋଟି ବୁଥରେ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ତଳକାଣ୍ଟି ବୁଥରେ ୮୯.୩୧ ପ୍ରତିଶତ, ଗୁମେଲପଦର ବୁଥରେ ୮୯.୪୭ ପ୍ରତିଶତ, ଥୁରିଆ ବୁଥରେ ୮୯.୧୧ପ୍ରତିଶତ, ଟାଉପଦର ବୁଥ ରେ ୮୬.୪୫ପ୍ରତିଶତ , ମାଡକାର ବୁଥରେ ୭୮.୨୭ ପ୍ରତିଶତ, ଗଞ୍ଜେଇ ପଦର ବୁଥରେ ୭୪.୪୨ପ୍ରତିଶତ, କୋଟିଆ ବୁଥରେ ୭୧.୧୮ପ୍ରତିଶତ, ଫଗୁଣ ସିନେରୀ ବୁଥରେ ୬୮.୭୩ , ଏବଂ ରଣାସିଂ ବୁଥରେ ସର୍ବ ନିମ୍ନ ୩୬.୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।
କୋଟିଆ, ମାଡକାର, ଗଞ୍ଜେଇ ପଦର, ଫଗୁଣ ସିନେରୀ, ରଣାସିଂ ଆଦି ୫ଗୋଟି ବୁଥ ରେ ବିବାଦୀୟ ୨୧ ଖଣ୍ଡ ଗ୍ରାମ ପୁଞ୍ଜବାସୀ ଭୋଟ ପ୍ରଦାନ କରିଥିଲେ। କୋଟିଆ ସଦର ମହକୁମା ବୁଥକୁ ଛାଡିଲେ ଅନ୍ୟ ୪ ଗୋଟି ବୁଥରେ ଭୋଟ ଗ୍ରହଣ ବେଳେ ଭୋଟର୍ ଙ୍କ ଆଙ୍ଗୁଠି ରେ କାଳି ଲଗାଯାଉଥିବା ନିର୍ବାଚନୀ ଭୋଟ ଚିହ୍ନ ଏହି ବୁଥ ଭୋଟର୍ ଙ୍କୁ ଲଗାଯାଇନଥିବା ଜଣାପଡିଛି। ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି ଯେ ଏହା ଏକ ଅଗଣତାନ୍ତ୍ରିକ ପ୍ରକ୍ରିୟା। ସାମ୍ବିଧାନିକ ନିୟମ ଅନୁସାରେ ଗୋଟିଏ ଦେଶ ଗୋଟିଏ ନାଗରିକତ୍ବ ରହିବା କଥା କିନ୍ତୁ ଏଠାରେ ଦୈତ୍ୟ ନାଗରିକର ପ୍ରୋତ୍ସାହନ କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି। କୋଟିଆ ର ବିବାଦୀୟ ଗ୍ରାମ ପୁଞ୍ଜ କୁ ନେଇ ସୁପ୍ରିମକୋର୍ଟ ରେ ମାମଲା ଚାଲିଥିବା ବେଳେ ଏହାକୁ ନେଇ ଆନ୍ଧ୍ରପ୍ରଦେଶ ସରକାର ନିଜର ଫାଇଦା ଉଠାଇବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। କୋଟିଆ ପଞ୍ଚାୟତର ସମୁଦାୟ ୫୫୧୦ ଜଣ ଭୋଟର ଙ୍କ ମଧ୍ୟରୁ ୨୦୪୫ ଜଣ ପୁରୁଷ ଏବଂ ୨୧୭୨ ଜଣ ମହିଳା ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।
Powered by Froala Editor