କେରଳ ଉପକୂଳରେ ଆରବ ସାଗରର ପାଣି ଭିତରେ ଦ୍ୱୀପ ଠାବ
ତିରୁଅନନ୍ତପୁରମ : କେରଳ ଉପକୂଳରେ ଆରବ ସାଗରର ପାଣି ଭିତରେ ଏକ ଦ୍ୱୀପ ଆକୃତିର ଅଞ୍ଚଳ ଗୁଗଲ ମ୍ୟାପରେ ଠାବ କରାଯାଇଛି । ବିଶେଷଜ୍ଞମାନଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । ସମୁଦ୍ର ଭିତରେ ଏହି ନୂଆ ସନ୍ଧାନ ମିଳିବାପରେ ପ୍ରକୃତରେ ଏହା କ’ଣ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ସମୁଦ୍ର ତଳେ ଜମା ହୋଇଥିବା ପଟୁମାଟି କିମ୍ବା କୌଣସି ଏକ ନୂଆ ଢାଞ୍ଚା ତାହା ଅନୁଧ୍ୟାନ ପରେ ହିଁ ଜଣାପଡ଼ିବ । ଠାବ ହୋଇଥିବା ଏହି ଦ୍ୱୀପ ସଂପର୍କରେ ଚେଲନମ କର୍ଷିକା ପର୍ଯ୍ୟଟନ ବିକାଶ ସମିତି ପକ୍ଷରୁ କେରଳ ମତ୍ସ୍ୟ ଏବଂ ମହାସାଗର ଅନୁଧ୍ୟାନ ବିଶ୍ୱବିଦ୍ୟାଳୟ (କେୟୁଏଫଓଏସ)କୁ ଚିଠି ଲେଖିବା ପରେ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ପାଣି ଭିତରେ ଠାବ ହୋଇଥିବା ଏହି ନୂଆ ଢାଞ୍ଚା ବର୍ତ୍ତମାନ ସୁଦ୍ଧା କାହାରି ନଜରକୁ ଆସିପାରିନାହିଁ । ତେଣୁ ଏହାପୂର୍ବରୁ ଥିଲା କି ନାହିଁ ତାହା ଜାଣିବା ପାଇଁ ବିଶେଷଜ୍ଞମାନେ ଏବେ କାର୍ଯ୍ୟ କରିବେ । ବିନ ଆକୃତିର ଏହି ଅଞ୍ଚଳଟି କେରଳ ଉପକୂଳରୁ ପ୍ରାୟ ୭ କିଲୋମିଟର ଦୂରରେ ରହିଛି । ଏହାର ଆକାର କୋଚିର ଆକାର ତୁଳନାରେ ପ୍ରାୟ ଅଧା ହେବ । କେୟୁଏଫଓଏସର କୁଳପତି କେ ରିଜି ଜନ୍ କହିଛନ୍ତି, ଆଗକୁ ଅନୁଧ୍ୟାନ କରାଗଲେ ହିଁ ଏହି ଢାଞ୍ଚା କି ପ୍ରକୃତିର ତାହା ଜଣାପଡ଼ିବ । ତେବେ କୋଚିନ ବନ୍ଦରର ଖନନ ବେଳେ ଏଭଳି ଅଞ୍ଚଳ ସୃଷ୍ଟି ହୋଇଥାଇପାରେ ବୋଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସନେ୍ଦହ କରୁଛନ୍ତି । ତେଣୁ କର୍ତ୍ତୃପକ୍ଷ ଏହି ଦିଗର ମଧ୍ୟ ଅନୁଧ୍ୟାନ କରିବେ । ତେବେ ଚେଲନମ କର୍ଷିକା ପର୍ଯ୍ୟଟନ ବିକାଶ ସମିତି କହିଛି ସେମାନେ ଏହି ଢାଞ୍ଚାକୁ ଗତ ୪ ବର୍ଷ ହେଲା ଦେଖିଆସୁଛନ୍ତି ଏବଂ ଏହାର ଆକାରରେ କେ?ଣସି ପରିବର୍ତ୍ତନ ହୋଇନାହିଁ ।
Powered by Froala Editor