୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି
ଭୁବନେଶ୍ୱର: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ ଏବେ ଆଲୋଚ୍ୟର ପ୍ରସଙ୍ଗ ପାଲଟିଛି । ଐତିହ୍ୟ ଘୋଡ଼ା ସ୍ଥାନାନ୍ତର ନେଇ ରାଜନୀତି ଜୋର ଧରିଥିବା ବେଳେ ମାଷ୍ଟରକ୍ୟାଣ୍ଟିନ ଛକରୁ ଦିନ ଦ୍ୱିପହରରେ ମା’କୋଳରୁ ୧୦ ଦିନର ଶିଶୁପୁତ୍ରକୁ ଜୋରଜବରଦସ୍ତ ଛଡ଼ାଇ ନେଇଛନ୍ତି କିଛି ଦଲାଲ । ଶିଶୁପୁତ୍ରକୁ ଦଲାମାନେ ୧୦ ହଜାର ଟଙ୍କାରେ କିଣି ନେଇଛନ୍ତି । ବାପା ହାତରେ ଟଙ୍କା ଧରାଇ ଦେଇ ୩ ଜଣ ମହିଳା ଦଲାଲ ମା କୋଳରୁ ଛୁଆକୁ ଛଡ଼ାଇ ନେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ କ୍ୟାପିଟାଲ ଥାନା ପୁଲିସ ପାଖରେ ଖବର ନାହିଁ । ଅନ୍ୟ ପକ୍ଷରେ ଚାଇଲ୍ଡ ଲାଇନ ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଲାଗି ପୁଲିସ ଆୟୁକ୍ତ, ଉପ ପୁଲିସ ଆୟୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଶିଶୁ ବିକି୍ରର ଏହା ଦ୍ୱିତୀୟ ଘଟଣା । କରୋନା ମହାମାରୀ ନେଇ ସୃଷ୍ଟି ହୋଇଥିବା ବେରୋଜଗାର ଅନେକଙ୍କୁ ଦାରିଦ୍ର୍ୟ ଆଡକୁ ଠେଲି ଦେଇଛି । ଫଳରେ ଟଙ୍କା ଲୋଭରେ ନିଜ ଶିଶୁପୁତ୍ରକୁ ବିକି୍ର କରିବାକୁ ବି ପଛାଉ ନାହାନ୍ତି । ଏହାର ସୁଯୋଗ ନେଇଛନ୍ତି କିଛି ଦଲାଲ । ରାଜଧାନୀରେ ଏଭଳି କିଛି ଦଲାଲଙ୍କ ହାବୁଡ଼ରେ ପଡିଛନ୍ତି ଏକ ଦମ୍ପତି । ମାଷ୍ଟରକ୍ୟାଣ୍ଟିନ ଛକରେ ଦଲାଲମାନେ ୧୦ ଦିନର ଶିଶୁପୁତ୍ରକୁ ଛଡ଼ାଇ ନେଇଛନ୍ତି । ଏହାକୁ ନେଇ ଛକରେ ବେଶ କିଛି ସମୟ ଲାଗି ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥିଲା । ଏହି ଘଟଣା ବିଜୁଳି ବେଗରେ ସାମାଜିକ ଗଣାମାଧ୍ୟମରେ ପ୍ରଚାରିତ ହୋଇଯାଇଥିଲା ।
Powered by Froala Editor