ମାସ ଶେଷକୁ ୪୬ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା
ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାସ ଶେଷ ବେଳକୁ ତାପମାତ୍ରା ୪୫ କିମ୍ବା ୪୬ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜି (ବୁଧବାର ଠାରୁ) ୪ଦିନ ପର୍ୟ୍ୟନ୍ତ ଦିନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ। ରାତିରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଆସନ୍ତା ୫ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୨୭ ତାରିଖରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ା ଜିଲ୍ଲାକୁ ସତର୍କତା ଜାରି ହୋଇଛି । ସେହିପରି ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେବେ ୧୧ ଜିଲ୍ଲାବାସୀ । ସେହିସବୁ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି । ସେହିପରି କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି ଓ ନୟାଗଡ ଭଳି ୫ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor