ଅସହ୍ୟ ଗ୍ରୀଷ୍ମ ପ୍ରବାହ : ୨୫ରୁ ଖରା ଛୁଟି
ଏପ୍ରିଲ ୨୫ରୁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ସରକାର । ଏହାସହ ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ । ଏହି ସମୟରେ ପିଲାଙ୍କର ଅନଲାଇନ୍ ପଢା ଉପରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର ।
ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରାଯାଇଛି।
Powered by Froala Editor