ବୋମାମାଡରେ ୫ ଗୁରୁତର
ବାଙ୍କୀ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗ୍ରାମରେ ସୋମବାର ଅପରାହ୍ଣରେ ବୋମାମାଡ଼ ଘଟି ୩ ଜଣ ଆହତ ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଓ ଆହତ ଅନ୍ୟଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ ଭେଡା ଗ୍ରାମ ତଳସାହିର ଯୁଧିଷ୍ଠିର ଦାସ ନିଜ ସାଇକଲ ନେଇ ଉପର ସାହି ଟାୱାର ଛକକୁ ଚା’ ପିଇବାକୁ ଆସୁଥିଲାବେଳେ ସେଠାରେ କିଛି ଯୁବକ ତାଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ତେବେ ମାରଣାସ୍ତ୍ରଟି ତାଙ୍କ ମୁଣ୍ଡରେ କମ୍ ଆଘାତ ଦେଇଥିଲା। ଏହି ଖବର ଗାଁରେ ପ୍ରଚାରିତ ହେବାରୁ ତାଙ୍କ ସମର୍ଥକ ଦୌଡ଼ି ଆସିବା ଦ୍ବାରା ମଝିସାହିଠାରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଅପରପକ୍ଷେ ସେଠାରେ ୩ଟି ବୋମା ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଦଉଡ଼ି ପଳାଇଥିଲେ। ତଳସାହିର ରଜନୀ କାନ୍ତ ଛାଟୋଇଙ୍କ ହାତରେ ବୋମାଟି ପଡ଼ିବା ଯୋଗୁଁ ତାଙ୍କ ଡାହାଣ ହାତରେ ଓ ଶଙ୍କର ଦାସଙ୍କ ଡାହାଣ ଆଖିରେ ଆଘାତ ଲାଗିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଆକ୍ରମଣ ଓ ବୋମାମାଡ଼ର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଦୀର୍ଘ ୧ବର୍ଷ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଆଲୋଚନା ହେଉଛି। ଘଟଣାସ୍ଥଳରେ ବାଙ୍କୀ ପୁଲିସ ତଦନ୍ତ ଚଳାଇଛି।
Powered by Froala Editor