କମ୍ପାନିକୁ ୨୭ଲକ୍ଷ ଟଙ୍କାର ଚୁନ ଲଗାଇଲେ ସେଲ୍ସମ୍ୟାନ୍
ଖୋର୍ଦ୍ଧା: ଲକ୍ଷେ କି’ ଦୁଇ ଲକ୍ଷ ନୁହେଁ, କମ୍ପାନିକୁ ଲଗାଯାଇଛି ୨୭ଲକ୍ଷ ଟଙ୍କାର ଚୁନ। କମ୍ପାନି ଜଣେ ସେଲ୍ସମ୍ୟାନ୍ ହିଁ ଏ ଦୁର୍ନୀତି ଭିଆଇଛନ୍ତି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ସ୍ଥିତ ଶିବମ କନଡେଭ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନି ଥାନାରେ ଏ ପ୍ରକାର ଅଭିଯୋଗ ଆଣିଛି। କମ୍ପାନିର ଡିଜେଲ୍ ଇନ୍-ଚାର୍ଜ ମହେନ୍ଦ୍ର ଗୁମାନ୍ସିଂହ ନାମକ ଜଣେ କର୍ମଚାରୀ ଏତେ ବଡ଼ ଠକେଇ କରିଛନ୍ତି ବୋଲି କମ୍ପାନି ନିଜ ଅଡିଟ୍ରୁ ଜାଣିବାକୁ ପାଇଛି। କମ୍ପାନିର ପ୍ଲାଣ୍ଟ୍ ଇନ୍-ଚାର୍ଜ ସୁନୀଲ କୁମାର ନାୟକଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଏ ଠକେଇର ଅଭିଯୁକ୍ତ ଶ୍ରୀ ଗୁମାନସିଂହଙ୍କର ଘର ହେଉଛି ପୁରୀ ଜିଲ୍ଲା ପିପିଲି ଥାନା ପଦସାହିରେ। ସେ କମ୍ପାନିରେ ପ୍ରାୟ ୧୩ବର୍ଷ କାଳ ଚାକିରି କରିଥିଲେ। କମ୍ପାନିର ତାପଙ୍ଗ ୟୁନିଟ୍ରେ ତାଙ୍କୁ ଡିଜେଲ୍ ଇନ୍ଚାର୍ଜ ପଦ ଦିଆଯାଇଥିଲା। ଗଲାବର୍ଷ ୨୦୨୩ ମସିହା ଅଗଷ୍ଟ ମାସ ୯ତାରିଖରେ କମ୍ପାନି ଅଡିଟ୍ରୁ ଏକ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଜଣାପଡ଼ିଥିଲା। କମ୍ପାନିର ମୋଟ୍ ୧୪ଶହ ୨୫ଲିଟର ଡିଜେଲ୍ ଗାଏବ ହୋଇଥିଲା। ଲିଟର ପିଛା ୯୪.୭୬ଟଙ୍କା ହିସାବରେ ଡିଜେଲ୍ ବାବଦକୁ ମୋଟ୍ ଏକ ଲକ୍ଷ ୩୫ହଜାର ୩୩ଟଙ୍କାର କ୍ଷୟକ୍ଷତି ହୋଇଥିବା ଅଡିଟ୍ରୁ ସ୍ପଷ୍ଟ ହୋଇଥିଲା। କେବଳ ଡିଜେଲ୍ ନୁହେଁ, କମ୍ପାନିରୁ ମୋଟ୍ ୪୨.୮୪୨ ମେଟ୍ରିକ୍ ଟନ୍ର ପିଚୁ ବି ଦୁର୍ନୀତି ହୋଇଥିବା ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଏ ଦୁର୍ନୀତି କଥା ପଦାକୁ ଆସିଲା ପରେ କମ୍ପାନି କର୍ତୃପକ୍ଷ ଗଲା ୨୦୨୩ ମସିହା ଅଗଷ୍ଟ ମାସ ୧୬ତାରିଖରେ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପୁଲିସ ଅଭିଯୋଗ ଗ୍ରହଣ କଲା ସତ, କିନ୍ତୁ ରିପୋର୍ଟ ଉପରେ କୌଣସି ପଦକ୍ଷେପ ଗ୍ରହଣ କଲାନାହିଁ। ଯେଉଁଥିପାଇଁ କମ୍ପାନି କର୍ତୃପକ୍ଷ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ସଦର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ମାମଲାର ତଦନ୍ତ ଅଧିକାରୀ ଜୟନ୍ତ କୁମାର ଭଟ୍ଟ କହିଛନ୍ତି, ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରୁ ଏ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଆସିଥିଲା। ଆମେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛୁ।
Powered by Froala Editor