୩ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ୩ ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ବିନୀତ ଭରଦ୍ୱାଜଙ୍କୁ ଓଡ଼ିଶା ଜୀବିକା ମିଶନ, ଭୁବନେଶ୍ୱରର ରାଜ୍ୟ ମିଶନ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ଓମଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀ ‘ମୋ ସ୍କୁଲ’ର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।
ସୂଚନାଯୋଗ୍ୟ, ଗତ ଜାନୁଆରି ୨୨ ତାରିଖରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ୧୭ ଜଣ ଜିଲ୍ଲାପାଳଙ୍କ ସମେତ ୩୭ ଜଣ ଆଇଏଏସ୍ ଅଧିକାରୀଙ୍କ ଅଦଳବଦଳ କରିଥିଲେ। ଏପ୍ରିଲ ୫ ତାରିଖରେ ୪ ଜଣ ଆଇଏଏସ୍ ଅଫିସରଙ୍କୁ ବଦଳି କରି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଥିଲା।
Powered by Froala Editor