ବାଲେଶ୍ୱରରେ ହେବ ପ୍ରତାପ-ଲେଖାଶ୍ରୀ ଲଢ଼େଇ
ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ତାଲିକା । ତେବେ ଲୋକସଭା ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍ ଦେବା ଲାଗି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ଫଳରେ ଏହି ଆସନରେ ଏଥର ଲୋକସଭାରେ ବଡ ଲଢେଇ ଦେଖିବାକୁ ମିଳିବ।
ପ୍ରତାପ ଷଡଙ୍ଗୀ ୨୦୧୯ ନିର୍ବାଚନରେ ଏଠାରେ ବିଜୟୀ ହୋଇଥିଲେ । ଏଥରକ ବିଜେଡିରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲେଖାଶ୍ରୀ । ଲେଖାଶ୍ରୀ ବାଲେଶ୍ବର ଜିଲ୍ଲା ନୀଳଗିରିର ବୋହୂ । ନୀଳଗିରି ବ୍ଲକ କାଂଶ ଗ୍ରାମରେ ଲେଖାଶ୍ରୀଙ୍କ ଶାଶୂଘର। ସ୍ବାମୀ ବିଜୟ ମହାନ୍ତି ଜଣେ ଆଲାଏଡ୍ ଅଫିସର। ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂଙ୍କ ଝିଅ ହେଉଛନ୍ତି ଲେଖାଶ୍ରୀ। ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ସେ ଜଣେ ସ୍ବର୍ଣ୍ଣପଦକ ପ୍ରାପ୍ତ ମେଧାବୀ ଛାତ୍ରୀ ହୋଇଥିବା ବେଳେ ପରିବେଶ ବିଜ୍ଞାନ ଉପରେ ଗବେଷଣା କରି ପିଏଚ୍ଡି ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଏଥିସହ ରେଭେନ୍ସା ସମେତ ବିଭିନ୍ନ ମହାବିଦ୍ୟାଳୟରେ ସେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଥିଲେ।
ତେବେ ୨୦୧୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପିରୁ ବାଲେଶ୍ବର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲା । ଚଳିତ ନିର୍ବାଚନରେ ଦଳ ତାଙ୍କୁ ଗୁରୁତ୍ବ ଦେଉନଥିବା ଅଭିଯୋଗ କରି ଗତ ୭ ତାରିଖରେ ଇସ୍ତଫା ଦେଇଥିଲେ ଏବଂ ବିଜେଡିରେ ସାମିଲ ହୋଇଥିଲେ।
Powered by Froala Editor