ମନ୍ତ୍ରୀ ପଦ ସହ ଆପ୍କୁ ବାଏ ବାଏ କଲେ ରାଜକୁମାର
କେଜରିୱାଲ ସରକାରଙ୍କ ମନ୍ତ୍ରୀ ପଦ ସହ ଆମ ଆଦମୀ ପାର୍ଟି ଛାଡିଛନ୍ତି ରାଜକୁମାର ଆନନ୍ଦ। ଆପର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ସରକାରରେ ସମାଜ ମଙ୍ଗଳ ମନ୍ତ୍ରୀ ଥିଲେ ରାଜକୁମାର। ଦଳରେ ଦୁର୍ନୀତି ପ୍ରସଙ୍ଗ ନେଇ ରାଜକୁମାର ଦଳ ଛାଡ଼ିଥିବା ସେ କହିଛନ୍ତି।
ଦଳରେ ଦଳିତ ବିଧାୟକ ଓ ମନ୍ତ୍ରୀଙ୍କର କୌଣସି ସମ୍ମାନ ନାହିଁ ବୋଲି ଅଭିଯୋଗ କରିଛନ୍ତି ରାଜକୁମାର ଆନନ୍ଦ। ଦଳିତ ବିଧାୟକ କିମ୍ବା କାଉନସିଲରଙ୍କୁ ସମ୍ମାନ ଦିଆଯାଏ ନାହିଁ। ଦଳିତଙ୍କୁ ପ୍ରମୁଖ ପଦ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ଜଣେ ବ୍ୟକ୍ତି ଯିଏ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।
ଆମ ଆଦମୀ ପାର୍ଟିର ଜନ୍ମ ଭ୍ରଷ୍ଟାଚାର ବିରୋଧରେ ହୋଇଥିଲା। ତେବେ ଏବେ ଆମ ଆଦମୀ ପାର୍ଟି ନିଜେ ଦୁର୍ନୀତିର କାଦୁଅରେ ଫସି ଯାଇଛି ବୋଲି କହିଛନ୍ତି ରାଜକୁମାର। ଏଭଳି ସ୍ଥିତିରେ ମନ୍ତ୍ରୀପଦରେ ରହି ମୋ ପାଇଁ କାମ କରିବା ଅସମ୍ଭବ ବୋଲି ସେ କହିଛନ୍ତି।
ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ୨୦୨୨ରେ ରାଜ କୁମାର ଆନନ୍ଦଙ୍କୁ କେଜ୍ରିଓ୍ୱାଲ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେହି ସମୟରେ ସାମାଜିକ କଲ୍ୟାଣ ବିଭାଗ ପରିଚାଳନା କରୁଥିବା ରାଜେନ୍ଦ୍ର ପାଲ ଗୌତମ ଧାର୍ମିକ ଭାବନାକୁ ଭଡକାଇବା ଅଭିଯୋଗରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।
Powered by Froala Editor