ଭେଣ୍ଟିଲେଟରରେ ଥାଇ ପ୍ରସବ କଲେ କରୋନା ଆକ୍ରାନ୍ତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଜଣେ ମହିଳା ଭେଣ୍ଟିଲେଟର ସପୋର୍ଟରେ ଥାଇ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ଏହି ୩୮ ବର୍ଷୀୟା ଗର୍ଭବତୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା । ଏପରିକି ତାଙ୍କର ଏସପିଓ ୨ ଲେବଲ ୫୫ ପ୍ରତିଶତ ହୋଇ ଯାଇଥିଲା । ଏଭଳି ଜଟିଳ ସ୍ଥିତିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କ ଚିକିତ୍ସା ଚଳାଇଥିଲେ । ଗତକାଲି ରାତି ୧୨ଟା ବେଳେ ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା ଏବଂ ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରିଥିଲେ । ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ମା’କୁ ଆଇସିୟୁରେ ରଖା ଯାଇଥିବା ବେଳେ ଶିଶୁକୁ ଏସଏନସିୟୁରେ ରଖାଯାଇଛି । ଡାକ୍ତରମାନେ ନିୟମିତ ମା’ ଓ ଶିଶୁଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟ ନାରାୟଣ ସାମଲ ଏବଂ ଷ୍ଟାଫ ନର୍ସ ବିଜେତା ଦିଗାଲଙ୍କ ସହଯୋଗରେ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇପାରିଛି । ଡାକ୍ତର ସାମଲ ଏହା ପୂର୍ବରୁ ୨୦ ଜଣ କୋଭିଡ ପଜିଟିଭ ଗର୍ଭବତୀଙ୍କ ସଫଳ ପ୍ରସବ କରାଇ ସାରିଲେଣି । ଡାକ୍ତର ସାମଲ ପୂର୍ବରୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିଲେ । ମାତ୍ର କୋଭିଡ ଦ୍ୱିତୀୟ ଲହର ବେଳେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇଛି । ଡାକ୍ତର ସାମଲଙ୍କ ଏ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Powered by Froala Editor