ଦିଲ୍ଲୀ ସିଏମଙ୍କ ଜାମିନ ଆବେଦନ ଉପରେ ଆଜି ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ଦିଲ୍ଲୀ ସିଏମ ଏବଂ ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଗୁରୁବାର ନିଷ୍ପତ୍ତି ହେବ। ଗିରଫ ଓ ରିମାଣ୍ଡରେ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି। ବୁଧବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଅଦାଲତରେ ଉଭୟ ପକ୍ଷ ଯୁକ୍ତି ରଖିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଗୁରୁବାର ଅପରାହ୍ନ ପର୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଭାବେ କେଜ୍ରିୱାଲଙ୍କୁ ଗତମାସରେ ଗିରଫ କରାଯାଇଥିଲା । ଇଡି ହେପାଜତରେ ସେ ଏବେ ତିହାର ଜେଲରେ ଅଛନ୍ତି । କେଜ୍ରିୱାଲଙ୍କ ଗିରଫ ସମ୍ପର୍କରେ ଯୁକ୍ତି ଉପରେ କଡ଼ା ଜବାବ ରଖି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ(ଏଏସଜି) ଏସଭି ରାଜୁ କହିଥିଲେ ଯେ, ଅପରାଧୀଙ୍କୁ ଗିରଫ କରି ଜେଲରେ ହିଁ ରଖାଯାଏ ।
ଅପରାଧ କରିବେ ଏବଂ ନିର୍ବାଚନ ଥିବାରୁ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । କୌଣସି ବିଚାରଧୀନ କଏଦୀଙ୍କ ଏଭଳି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଏସଜି କହିଥିଲେ ।
ଏହା ପୂର୍ବରୁ କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଘଂଭି ନିଜର ଯୁକ୍ତିରେ କହିଥିଲେ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଅପମାନିତ କରିବା । ଦିଲ୍ଲୀର ୭ଟି ଲୋକସଭା ଆସନରେ ବିଜେପିର ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମ୍ ଆଦମୀ ପାର୍ଟି (ଏଏପି) ଏବଂ ଏହାକୁ ଶକ୍ତିହୀନ କରିଦେବା ପାଇଁ ପ୍ରୟାସ ଚାଲିଛି ବୋଲି ସିଘଂଭି ଯୁକ୍ତି ରଖିଥିଲେ ।
Powered by Froala Editor