ସପ୍ତାହରେ ଭିସ୍ତାରାର ୧୦୦ ବିମାନ ବାତିଲ, ଜବାବ ମାଗିଲେ କେନ୍ଦ୍ର
ପାଇଲଟଙ୍କ ସଂଖ୍ୟା କମ୍ ଥିବାରୁ ବିମାନ ଚଳାଚଳ ସଂଖ୍ୟା ହ୍ରାସ କରିଛି ଭିସ୍ତାରା କମ୍ପାମୀ। ଭିସ୍ତାରାର ଏହି ନିଷ୍ପତ୍ତି ପରେ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଭରିବାକୁ ଥିବା ୩୮ଟି ବିମାନ ଚଳାଚଳ କ୍ୟାନ୍ସଲ କରି ଦିଆଯାଇଛି। ବାତିଲ ହୋଇଥିବା ବିମାନ ମଧ୍ୟରେ ମୁମ୍ବାଇରୁ ୧୫ଟି, ଦିଲ୍ଲୀରୁ ୧୨ ଏବଂ ବେଙ୍ଗାଲୁରୁରୁ ୧୧ଟି ରହିଛି।
ପ୍ରକାଶ ଥାଉକି, କିଛି ଦିନ ହେବ ଭିସ୍ତାରା ଶତାଧିକ ବିମାନ ବାତିଲ୍ କରିବା ସହ ଉଡାଣ ବିଳମ୍ବ କରିଛି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହୁଥିଲେ। ଲଗାତାର ଭାବେ ଏପରି ହେବାରୁ ସୋଶାଲ ମିଡିଆରେ କ୍ଷୋଭ ବ୍ୟକ୍ତ କରିଥିଲେ ଯାତ୍ରୀ। ବିମାନ ବାତିଲ୍ ହେବା ପରେ ମଧ୍ୟ କମ୍ପାନୀ ଟିକେଟ ବାବଦକୁ ଟଙ୍କା ଫେରାଉନଥିବା ଅଭିଯୋଗ କରିଥିଲେ।
କ୍ରମାଗତ ଭାବେ ଏପରି ଅଭିଯୋଗ ଆସିବା ପରେ କମ୍ପାନୀ ଆଜି ଏକ ପ୍ରତିକ୍ରିୟା ରଖିଛି। ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି। ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆମେ ଚିନ୍ତିତ।
ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭିସ୍ତାରାଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ଏହି ରିପୋର୍ଟରେ ମନ୍ତ୍ରଣାଳୟ ବିମାନ ଉଡ଼ାଣ ବିଳମ୍ବ ଏବଂ ବାତିଲ ହେବାର କାରଣ ପଚାରିଛି। ମନ୍ତ୍ରଣାଳୟର ଅଧିକାରୀ ଏଏନଆଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଗତ ସପ୍ତାହରେ ୧୦୦ରୁ ଅଧିକ ଭିସ୍ତାରା ବିମାନ ଉଡ଼ାଣ ବାତିଲ କରାଯାଇଛି।
Powered by Froala Editor