ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକାକୁ ମାରିଦେଲା କ୍ୟାବ୍ ଡ୍ରାଇଭର
ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ କ୍ୟାବ୍ ଡ୍ରାଇଭର୍ ପ୍ରେମିକ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୩୫ ବର୍ଷୀୟ ଡ୍ରାଇଭର୍ ଜଣକ ଘଟଣା ଘଟାଇବା ପରେ ପୁଲିସ୍ ଷ୍ଟେସନ୍କୁ ଯାଇ ନିଜ ଅପରାଧ ସ୍ବୀକାର କରିଛନ୍ତି। ପ୍ରେମିକ ଠାରୁ ଖବର ପାଇବା ପରେ ପୁଲିସ୍ ପ୍ରେମିକାର ମୃତଦେହକୁ ଜବତ କରିଛି।
ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଲେ ବେଙ୍ଗାଲୁରୁର ଜୟାନଗରରେ ରହୁଥିବା ଗିରିଶ। ସେ ୪୨ ବର୍ଷୀୟ ଫରିଦା ଖାତୁନଙ୍କୁ ଭଲ ପାଉଥିଲେ। ଫରଦାଙ୍କ ଘର ପଶ୍ଚିମବଙ୍ଗରେ। ସେ ବେଙ୍ଗାଲୁରୁର ଗୋଟିଏ ସ୍ପାରେ କାମ କରୁଥିଲେ।
ନିଜ ଭଉଣୀଙ୍କ ପାଇଁ ଉପଯୁକ୍ତ ବର ଖୋଜିବାରେ ଅସୁବିଧା ହେତୁ ଗିରିଶ ୨୦୧୧ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ପରେ ପୁଣି ସେ ନିଜ ପୁରୁଣା ଧର୍ମକୁ ଫେରିଥିଲେ। କିନ୍ତୁ ଇସଲାମର କିଛି ପରମ୍ପରା ସେ ନିଜ ଇଚ୍ଛା ଅନୁସାରେ ପାଳନ କରୁଥିଲେ। ଏସବୁ ଭିତରେ ଫରିଦାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଫରିଦା ବିବାହିତ ଥିଲେ ମଧ୍ୟ ଗିରିଶଙ୍କୁ ପ୍ରେମ କରୁଥିଲେ।
ମାର୍ଚ୍ଚ ୨୬ରେ ଫରିଦା ପଶ୍ଚିମବଙ୍ଗରୁ ନିଜର ଦୁଇ ଝିଅଙ୍କ ସହ ବେଙ୍ଗାଲୁରୁକୁ ଆସିଥିଲେ। ଗିରିଶଙ୍କ ଜନ୍ମ ଦିନ ମାର୍ଚ୍ଚ ୨୯ରେ ଥିବାରୁ ସେ ୨୬ରେ ଏଠାକୁ ଆସିଥିଲେ। ତାଙ୍କ ଝିଅର ମଧ୍ୟ କଲେଜରେ ନାଁ ଲେଖାଇବାର ଥିଲା।
ଘଟଣା ଘଟିବା ଦିନ ଗିରିଶ ଫରିଦା ଓ ତାଙ୍କ ଝିଅମାନଙ୍କୁ କିଣାକିଣି କରାଇବା ସହ ମଧ୍ୟାହ୍ନ ଭୋଜନ କରାଇଥିଲେ। ପରେ ସେମାନେ ନିଜ ହୋଟେଲକୁ ଫେରିଥିଲେ। ସନ୍ଧ୍ୟାରେ, ସାଲିନି ଗ୍ରାଉଣ୍ଡରେ ଥିବାବେଳେ ଗିରିଶ ଫରିଦାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ରାଗିଯାଇ ଗିରିଶ ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରି ପରେ ଜୟନଗର ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।
Powered by Froala Editor