ବିଜେପିର ୮ମ ଲୋକସଭା ପ୍ରାର୍ଥୀ ତାଲିକା : ସନ୍ନିଙ୍କ ଟିକେଟ କଟିଲା

ଲୋକସଭା ନିର୍ବାଚନ ପାଇଁ ବିଜେପି ଅଷ୍ଟମ ତାଲିକା ଜାରି କରିଛି । ବିଜେପି ପଞ୍ଜାବର ୧୩ ଲୋକସଭା ଆସନରୁ ୬ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପଞ୍ଜାବର ପଟିଆଲା ଲୋକସଭା ଆସନରୁ ପ୍ରନୀତ କୌରଙ୍କୁ ଦଳ ଟିକେଟ୍ ଦେଇଛି। ପ୍ରନୀତ କୌର ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ।
ତରନଜିତ ସାନ୍ଧୁଙ୍କୁ ଦଳ ପଞ୍ଜାବର ଅମୃତସର ଆସନରୁ ପ୍ରାର୍ଥୀ କରିଛି। ଶ୍ରୀ ସାନ୍ଧୁ ଆମେରିକାରେ ଭାରତର କୂଟନୀତିଜ୍ଞ ଭାବେ କାମ କରୁଥିଲେ। ଅବସର ନେବା ପରେ ସେ ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ହଂସ ରାଜ ହଂସ ପଞ୍ଜାବର ଫରିଦକୋଟରେ ନିଜ ଭାଗ୍ୟ ପରୀକ୍ଷା କରିବେ।
ନିକଟରେ କଂଗ୍ରେସ ଛାଡ଼ିଥିବା ସାଂସଦ ରଭନୀତ ସିଂହ ବିଟ୍ଟୁ ବିଜେପିରେ ମିଶିଥିଲେ। ସେ ପୁଣିଥରେ ଲୁଧିଆନରୁ ଲଢ଼ିବେ। ୨୦୧୯ରେ ସେ ଏଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ। ଏଥର କିନ୍ତୁ ବିଜେପି ପକ୍ଷରୁ ସେ ଲଢ଼ିବେ।
ଆପ୍ର ଏକମାତ୍ର ସାଂସଦ ସୁଶୀଲ କୁମାର ରିଙ୍କୁ ମଧ୍ୟ ମାର୍ଚ୍ଚ ୨୮ରେ ବିଜେପିରେ ମିଶିଥିଲେ। ତାଙ୍କୁ ଦଳ ଜଲନ୍ଧର ଆସନରୁ ଟିକେଟ ଦେଇଛି।
ଦଳ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଟିକେଟକୁ କାଟି ଦେଇଛି। ୨୦୧୯ରେ ସନ୍ନି ଦେଓଲ ପଞ୍ଜାବର ଗୁରଦାସପୁର ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ। କିନ୍ତୁ ସଂସଦରେ ଖରାପ ଉପସ୍ଥାପନ ପାଇଁ ତାଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟି ରଖି ବିଜେପି ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଗୁରଦାସପୁରରୁ ଦଳୀୟ ନେତା ଦୀନେଶ ସିଂହ ବାବୁଙ୍କୁ ବିଜେପି ପ୍ରାର୍ଥୀ କରିଛି।
ପୂର୍ବତନ ଆଇପିଏସ୍ ଅଫିସର ଦେବାଶିଷ ଧରଙ୍କୁ ପଶ୍ଚିମବଙ୍ଗର ବୀରଭୂମ ଆସନରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗର ଝାରଗ୍ରାମରୁ ପ୍ରଣତ ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ତାଲିକାରେ ଭର୍ତ୍ତୃହରି ମହତାବଙ୍କ ନାମ ମଧ୍ୟ ରହିଛି। ସେ ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ଓଡ଼ିଶାର ଯାଜପୁର ଓ କନ୍ଧମାଳରୁ ଯଥାକ୍ରମେ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି ।
Powered by Froala Editor