ଟଙ୍କା ନାହିଁ କହି ନିର୍ବାଚନ ଲଢ଼ିଲେନି ନିର୍ମଳା, ଜାଣନ୍ତୁ ତାଙ୍କ ସମ୍ପତ୍ତି କେତେ?
![ଟଙ୍କା ନାହିଁ କହି ନିର୍ବାଚନ ଲଢ଼ିଲେନି ନିର୍ମଳା, ଜାଣନ୍ତୁ ତାଙ୍କ ସମ୍ପତ୍ତି କେତେ?](https://odishanewslens.com/news_gallery/28966_1711655641.jpg)
ଲୋକସଭା ନିର୍ବାଚନ-୨୦୨୪କୁ ନେଇ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି କ୍ରମରେ ବିଜେପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଅର୍ଥମନ୍ତ୍ରୀ ଏହାକୁ ଅସ୍ବୀକାର କରିଛନ୍ତି।
ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ହେଲେ ପାଖରେ ନିର୍ବାଚନ ଲଢ଼ିବାକୁ ଟଙ୍କା ନଥିବା କହି ସେ ଏହାକୁ ଏଡାଇ ଯାଇଛନ୍ତି। ଏପରିକି ଦଳ ତାଙ୍କର ନିଷ୍ପତ୍ତିକୁ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୀତାରମଣଙ୍କ ସମ୍ପତ୍ତି କେତେ?
MyNeta ୱେବସାଇଟ ଅନୁଯାୟୀ, ନିର୍ମଳା ସୀତାରମଣଙ୍କ ମୋଟ ସମ୍ପତ୍ତି ହେଉଛି ୨ କୋଟି ୫୦ ଲକ୍ଷ ୯୯ ହଜାର ୩୯୬ ଟଙ୍କା। ଏଥିରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି। ନିର୍ମଳା ସୀତାରମଣଙ୍କର ୩୧୫ ଗ୍ରାମ ସୁନା ରହିଛି। ତାଙ୍କ ପାଖରେ ୨ କିଲୋଗ୍ରାମର ରୌପ୍ୟ ମଧ୍ୟ ଅଛି।
ସୀତାରମଣଙ୍କ ପାଖରେ କୌଣସି କାର ନାହିଁ। ହେଲେ ତାଙ୍କ ନାମରେ ଏକ ବଜାଜ୍ ଚେତକ ସ୍କୁଟର ରହିଛି। ଏହାର ମୂଲ୍ୟ ହେଉଛି ୨୮,୨୦୦ ଟଙ୍କା। ତାଙ୍କର ହାଇଦ୍ରାବାଦ ନିକଟରେ ପ୍ରାୟ ୧୬ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଣ କୃଷି ଜମି ଅଛି।
ସୀତାରମଣଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୧,୮୭,୬୦,୨୦୦ ଟଙ୍କା। ସୀତାରମଣଙ୍କ ନାମରେ ୩୦ ଲକ୍ଷ ଟଙ୍କା ଋଣ ମଧ୍ୟ ଅଛି। ରାଜ୍ୟସଭା ପାଇଁ ତାଙ୍କ ନିର୍ବାଚନୀ ଆଫିଡେଭିଟ୍ରେ ତାଙ୍କ ପାଖରେ ୧୭,୨୦୦ ଟଙ୍କା ଅଛି। ଏହା ବ୍ୟତୀତ ବ୍ୟାଙ୍କ ଏଫ୍ଡି ଭାବରେ ୪୫,୦୪,୪୭୯ ଟଙ୍କା ଅଛି।
ପିଏମଓ ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ୨୦୨୨ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ୭,୩୫୦ଟଙ୍କା ନଗଦ ଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଟଙ୍କାର ମୂଲ୍ୟ ୩୫,୫୨,୬୬୬ଟଙ୍କା ରହିଥିଲା। ଏଥିସହିତ ସୀତାରମଣ ପିପିଏଫ ପାଇଁ ୧,୫୯,୭୬୩ଟଙ୍କା ଓ ମିଚ୍ୟୁଆଲ ଫଣ୍ଡ ପାଇଁ ୫,୮୦.୪୨୪ଟଙ୍କା ନିବେଶ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ପାଖରେ କୌଣସି ବିମା ନାହିଁ।
Powered by Froala Editor