ଲୁଣ, ପାଣି ପିଇ ୨୧ ଦିନ ଅନଶନ

ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ବିକ୍ଷୋଭ କରୁଥିଲେ। ସେ ତାଙ୍କ ଅନଶନ ଶେଷ କରିଥିଲେ ହେଁ ଆଗକୁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
ୱାଙ୍ଗଚୁକ୍ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ଯ୍ୟକାରୀ କରିବା। ଏହି କାରଣରୁ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି। ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।
ସେ କହିଛନ୍ତି, କେନ୍ଦ୍ର ସରକାର ୪ ବର୍ଷ ପୂର୍ବେ ଏନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେଥିରୁ ପଛଘୁଞ୍ଚା ଦେଉଛନ୍ତି। ଶୂନ ଡିଗ୍ରୀ ତାପମାତ୍ରାରେ ସୋନମ ‘କ୍ଲାଇମେଟ୍ ଫାଷ୍ଟ’ ଜାରି ରଖିଛନ୍ତି। ସେ କେବଳ ପାଣି ଏବଂ ଲୁଣ ଖାଉଛନ୍ତି।
“ଲଦାଖର ସାମ୍ବିଧାନିକ ସୁରକ୍ଷା ଓ ଲୋକଙ୍କ ରାଜନୀତିକ ଅଧିକାରୀ ପାଇଁ ମୁଁ ଲଢ଼େଇ ଜାରି ରଖିବି।” ସେହିପରି ୱାଙ୍ଗଚୁକ ଅନଶନ ଭାଙ୍ଗି ଥିବା ବେଳେ କିଛି ମହିଳା ସଂଗଠନ ସମାନ ଦାବିରେ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଆମିର ଖାନ୍ଙ୍କ ଚରିତ୍ର ‘ଫୁନ୍ସୁକ୍ ୱାଙ୍ଗଡୁ’ ବହୁତ ଲୋକପ୍ରିୟ ହୋଇଥିଲା। ସେହି ଚରିତ୍ରଟି ଲଦାଖର ସୋନମ୍ ୱାଙ୍ଗଚୁକ୍ଙ୍କ ଉପରେ ଆଧାରିତ ଥିଲା।
Powered by Froala Editor