IPL ବେଟିଂ ଉଜାଡ଼ିଦେଲା ସଂସାର : ସ୍ୱାମୀ ଦେଢ଼ କୋଟି ହାରିବା ପରେ ଆତ୍ମହତ୍ୟା କଲା ସ୍ତ୍ରୀ

କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ବେଟିଂ ପାଇଁ ଉଜୁଡ଼ି ଯାଇଛି ସଂସାର। ଦର୍ଶନ ବାବୁ ନାମକ ଇଞ୍ଜିନିୟର IPL ବେଟିଂରେ ଦେଢ଼ କୋଟି ଟଙ୍କା ହରାଇଥିବା କୁହାଯାଉଛି । ଦର୍ଶନ ବାବୁ ବେଟିଂରେ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ରଞ୍ଜିତା ଆତ୍ମହତ୍ୟା କରିଛନ୍ତି । ସ୍ୱାମୀଙ୍କ ଋଣଦାତା ବାରମ୍ବାର ହଇରାଣ କରୁଥିବାରୁ ୨୩ ବର୍ଷୀୟ ପତ୍ନୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ଦର୍ଶନ ବାବୁ ଜଣେ ଇଞ୍ଜିନିୟର। ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ ରଞ୍ଜିତା । ୨୦୨୧ରୁ ଦର୍ଶନ ବେଟିଂରେ ଲିପ୍ତ ଥିବା ପୋଲିସ କହିଛି । ତେବେ ଅଧିକ ଟଙ୍କା ଲୋଭରେ ସେ ଏଭଳି ବେଟିଂରେ ଟଙ୍କା ଲଗାଉଥିବା ସୂଚନା ମିଳିଛି । ଚଳିତ ବର୍ଷ ଆଇପିଏଲ ସିଜିନ ୨୨ ତାରିଖରୁ ଆରମ୍ଭ ହୋଇଛି । ବାରମ୍ବାର ହାରୁ ଥିଲେ ମଧ୍ୟ ତାଙ୍କର ବେଟିଂ ନିଶା ଉତୁରି ନଥିଲା। ସେ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ବେଟିଂ ଲଗାଇବାକୁ ମଧ୍ୟ ପଛାଉ ନଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଦର୍ଶନ ବାବୁ ପ୍ରାୟ ଦେଢ଼ କୋଟି ଟଙ୍କା ଆଇପିଏଲ ବେଟିଂରେ ହାରି ଯାଇଥିଲେ।
ଶେଷରେ ଋଣଦାତାମାନେ ଟଙ୍କା ମାଗିବା ଆରମ୍ଭ କରିବା ସହ ତାଙ୍କ ପତ୍ନୀ ରଞ୍ଜିତାଙ୍କୁ ହଇରାଣ କରୁଥିଲେ। ବାରମ୍ବାର ଋଣଦାତାଙ୍କ କଥା ଶୁଣି ନ ପାରି ରଞ୍ଜିତା ମାର୍ଚ୍ଚ ୧୮ରେ ତାଙ୍କ ଘର ଭିତରେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଛନ୍ତି।
Powered by Froala Editor