ଐତିହାସିକ : ଆମେରିକୀୟ ବଜାରରେ ସ୍ଥିତି ଜାହିର କରିବ Amul
![ଐତିହାସିକ : ଆମେରିକୀୟ ବଜାରରେ ସ୍ଥିତି ଜାହିର କରିବ Amul](https://odishanewslens.com/news_gallery/28881_1711225723.jpg)
ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଆମେରିକାର ଲୋକଙ୍କୁ ଅମୂଲ ଏହାର ଉତ୍ପାଦର ସ୍ବାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏଠାରେ ତାଜା ଦୁଗ୍ଧ ସାମଗ୍ରୀ ଲଞ୍ଚ କରିବାର ଯୋଜନା କରୁଛି। ଏହାକୁ ନେଇ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେଶନ(ଜିସିଏମ୍ଏମ୍ଏଫ୍) ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ଉତ୍ପାଦକ ଆସୋସିଏଶନ ‘ମିଶିଗାନ ଦୁଗ୍ଧ ଉତ୍ପାଦକ ସଂଘ’ ସହ ଏକ ଚୁକ୍ତି କରିଛି। ସମବାୟ ସମିତିର ବାର୍ଷିକ ବୈଠକରେ ଜିସିଏମ୍ଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶକ ଜୟନ୍ ମେହେଟ୍ଟା ଏହି ଘୋଷଣା କରିଛନ୍ତି।
ସେ କହିଛନ୍ତି, ଏଥିପାଇଁ ଆମେ ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ସମବାୟ ସମିତି ମିସିଗାନ୍ ଦୁଗ୍ଧ ଉତ୍ପାଦକ ସଂଘ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ଅମୂଲ ପ୍ରଥମ ଥର ପାଇଁ ଦେଶ ବାହାରେ ଦୁଗ୍ଧ ଉତ୍ପାଦଯୋଗାଇବ। ଆମେରିକାର ବଜାର ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଆମେରିକାରେ ଭାରତୀୟ ଏବଂ ଏସୀୟ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ସେ କହିଛନ୍ତି ଯେ ନିକଟରେ ଆୟୋଜିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଲକ୍ଷ୍ୟ ଅନୁଯାୟୀ ବ୍ରାଣ୍ଡକୁ ବିସ୍ତାର କରି ସର୍ବ ବୃହତ ଦୁଗ୍ଧ କମ୍ପାନୀ କରିବାକୁ ଅମୂଲ ଆଶା ରଖିଛି।
କହିବାକୁ ଗଲେ, ଅମୂଲ ଭାରତରେ ମଧ୍ୟ ଏକ ଘରୋଇ ନାମ। ଭାରତର ସୁପର ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ। କେବଳ ଏତିକି ନୁହେଁ ଭାରତରେ ‘ଶ୍ୱେତ ବିପ୍ଳବ’ ଆଣିବାରେ ଅମୂଲ୍ର ବଡ଼ ଅବଦାନ ରହିଛି। ଏହାର ସଫଳତା ହିଁ ଭାରତରେ ଦୁଗ୍ଧ ସମବାୟ ସମିତି ବିସ୍ତାର କରିଥିଲା। ଏହି କାରଣରୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଭିତ୍ତିପ୍ରସ୍ତର ପଡ଼ିଥିଲା।
Powered by Froala Editor