ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକଡ
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ହୋଇ ସାରିଥିବା ବେଳେ ଗତ ୧୫ ଦିନରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଜୁନ ୧ରୁ ୧୫ ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି ୧୦୨.୩ ମିମି ବର୍ଷା ରେକର୍ଡ ହୋଇଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୭୭.୨ ମିମି ବର୍ଷା ହୋଇଥାଏ । ଅର୍ଥାତ ରାଜ୍ୟରେ ଏହି ୧୫ ଦିନ ଭିତରେ ଏ ପର୍ଯ୍ୟନ୍ତ ୨୯% ଅଧିକ ବର୍ଷା ହୋଇଛି । ଖାଲି ସେତିକି ନୁହେଁ, ରାଜ୍ୟର ୧୬ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦% ଅଧିକ ବର୍ଷା ହୋଇଯାଇଛି । ଅବଶିଷ୍ଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଟିକିଏ ଅଧିକ ରହିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ୧୭ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖରୁ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେଣୁ ଏହି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Powered by Froala Editor