ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନେଇ ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ମୋଦି ସରକାରଙ୍କ ଦ୍ବାରା କାର୍ୟ୍ୟକାରୀ ହୋଇଥିବା ନିର୍ବାଚନୀ ବଣ୍ଡ ଯୋଜନା । ଏହାକୁ ରଦ୍ଦ କରିବା ଓ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି, ସେ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଷ୍ଟେଟବ୍ୟାଙ୍କ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହି ତଥ୍ୟ ଦାଖଲ କରିସାରିଛି । ଏହାକୁ ସଠିକ ସମୟରେ ସାର୍ବଜନୀନ କରାଯିବା ନେଇ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଷ୍ଟେଟବ୍ୟାଙ୍କଠାରୁ ତଥ୍ୟ ହସ୍ତଗତ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେମାନେ ସଠିକ ସମୟରେ ଆୟୋଗ ନିକଟରେ ତଥ୍ୟ ଦାଖଲ କରିଛନ୍ତି । ଏହାକୁ ତର୍ଜମା କରାଯାଉଛି । ସଠିକ ସମୟରେ ଏହାକୁ ସାଧାରଣ ଜନତାଙ୍କ ଅବଗତି ପାଇଁ ସାର୍ବଜନୀନ ମଧ୍ୟ କରାଯିବ । ଆହୁରି ମଧ୍ୟ ରାଜୀବ କହିଛନ୍ତି, ଦେଶରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ତମାମ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଶବାସୀଙ୍କୁ ଆୟୋଗଙ୍କ ପକ୍ଷରୁ ଅନୁରୋଧ କରାଯାଉଛି, ସେମାନେ ସକ୍ରିୟତାରେ ମତଦାନରେ ଅଂଶଗ୍ରହଣ କରନ୍ତୁ ।
ସୂଚନା ଅନୁସାରେ, ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ ୧୫ ତାରିଖରେ ଶୁଣାଣି କରି ଐତିହାସିକ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦି ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଯୋଜନାର କାର୍ୟ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ସହ ୨୦୧୯ ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ତେବେ କୋର୍ଟଙ୍କ ଛାଟ ପରେ ଷ୍ଟେଟବ୍ୟାଙ୍କ ଦାଖଲ କରିଥିବା ତଥ୍ୟ ଅନୁସାରେ, ୨୦୧୯ ମସିହା ଏପ୍ରିଲ ୧ ତାରିଖରୁ ୨୦୨୪ ମସିହା ଫେବୃଆରୀ ୧୫ ତାରିଖ ମଧ୍ୟରେ ସମୁଦାୟ ୨୨,୨୧୭ ନିର୍ବାଚନ ବଣ୍ଡ କ୍ରୟ କରାଯାଇଛି । ସେଥିମଧ୍ୟରୁ ୨୨,୦୩୦ଟି ବଣ୍ଡ ଇନକ୍ୟାସ ହୋଇଛି । ଅବଶିଷ୍ଟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଯାଇଥିବା ସୂଚନା ରହିଛି । ଏହି ପ୍ରାପ୍ତ ତଥ୍ୟକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ଆୟୋଗ ନିଜ ଅଫିସିଆଲ ଓ୍ବେବ-ସାଇଟରେ ଅପଲୋଡ କରିବେ ।
Powered by Froala Editor