ସାମ୍ବାଦିକଙ୍କୁ ଏଭଳି କହିଲେ ଲତା ଉସେଣ୍ଡି, ଜାଣନ୍ତୁ କଣ ?
ଭୁବନେଶ୍ୱର:ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଏଭଳି ଚର୍ଚ୍ଚା ବିଜେପି କି ବିଜେଡି କରୁନାହିଁ । ଏହା କେବଳ ସାମ୍ବାଦିକମାନେ କରୁଛନ୍ତି । ଏଭଳି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। ଲତା ଏବେ ସବୁ ଦୋଷ ସାମ୍ବାଦିକଙ୍କ ମୁଣ୍ଡରେ ଲଦି ଦେଇଛନ୍ତି ।
ନିଅାଁ ନଥିଲେ ଧୂଆଁ କେଉଁଠୁ ଆସିବ । ଯଦି ସାମ୍ବାଦିକମାନେ ମେଣ୍ଟ ଚର୍ଚ୍ଚା କରୁଛନ୍ତି ତେବେ ଚର୍ଚ୍ଚା କରିବାକୁ ବିଜେଡି ଓ ବିଜେପିନେତାମାନେ ହିଁ ଖୋରାକ ଯୋଗାଇଛନ୍ତି । ବିଜେପିର ରାଜ୍ୟ ନେତୃତ୍ୱ ଦିଲ୍ଲୀ ଗଲେ । ଦିନେ କି ଦୁଇ ଦିନ ନୁହେଁ । ୩ ଦିନ ରହି ସେଠାରେ ଆଲୋଚନା କଲେ । ବିଜେଡିର ବି ଦୁଇ ନେତା ଦିଲ୍ଲୀ ଗଲେ । କିନ୍ତୁ ଏବେ ସବୁ ଦୋଷ ସାମ୍ବାଦିକମାନଙ୍କର । ତେବେ ଲତାଙ୍କ ସାମ୍ବାଦିକଙ୍କ ପ୍ରତି ଏଭଳି ଉକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପ୍ରକାଶ ଯେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ପୁଣିଥରେ ଦୁଇ ଦଳ ଭିତରେ ମେଣ୍ଟ ଚର୍ଚ୍ଚାକୁ ନା କହିଛନ୍ତି ବିଜେପିର ବରିଷ୍ଠ ନେତୃତ୍ୱ । ରବିବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ବିଜେପି ସବୁ ସିଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି । ଦିଲ୍ଲୀ ବୈଠକରେ ପ୍ରତିଟି ଆସନ ଉପରେ ଚର୍ଚ୍ଚା ହେଇଛି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ , ଗଣମାଧ୍ୟମ ମେଣ୍ଟ ଚର୍ଚ୍ଚା କରୁଛି, ହେଲେ ସେ କରୁନାହାଁନ୍ତି । ଦିଲ୍ଲୀରେ ହେଇଥିବା ବୈଠକରେ ଉଭୟ ଲୋକସଭା ଏବଂ ବିଧାନସଭା ସିଟକୁ ନେଇ ଚର୍ଚ୍ଚା ହେଇଥିଲା । ସବୁ ସିଟରେ ଲଢେଇ କରିବାକୁ ବିଜେପି ପ୍ରସ୍ତୁତ ହେଉଛି ।
ଅନ୍ୟପକ୍ଷରେ ବିଜେପିର ରାଜ୍ୟ ସଭାପତିଙ୍କ ବୟାନ ଆସିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା କୁହାଯାଉଛି। ଏହାପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଥମୁନାହିଁ। ବିଜେପି ସହିତ ମେଣ୍ଟ ନେଇ ଛକାପଞ୍ଝା ଭିତରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମଧ୍ୟରେ ଗୋଟିଏ ୧୩ ସେକେଣ୍ଡର ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଏହି ଭିଡିଓରେ ନା ମୁଖ୍ୟମନ୍ତ୍ରୀ କାହାର ନାଁ ନେଇଛନ୍ତି ନା ଶ୍ରୀ ପାଣ୍ଡିଆନ। କିନ୍ତୁ ରାଜନୈତିକ ମହଲ ଏଥିରୁ ଯେଉଁ ଗନ୍ଧ ବାରୁଛନ୍ତି, ତାହା ହେଲା- ମେଣ୍ଟ ଆଲୋଚନା ନେଇ ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହି ଭିଡିଓ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଉଦ୍ଦିଷ୍ଟ।
ଅର୍ଥାତ୍ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବା ବିଜେପି ଏକାକୀ ଲଢ଼ିବ ବୋଲି ଯେଉଁ କଥା ବିଜେପି ନେତାମାନେ ଦାବି କରିଛନ୍ତି, ତାହା ଅସତ୍ୟ ବା ଗୁଜବ ବୋଲି ଉଭୟ ନେତା ଜଣାଇବାକୁ ବୋଧହୁଏ ଚାହିଁଛନ୍ତି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ ବିଜେଡି-ବିଜେପି ମେଣ୍ଟ ନେଇ ଗତକାଲିର ସ୍ଥିତି ଯାହା ଥିଲା, ତାହା ଆଜି ବି ବଳବତ୍ତର ରହିଛି। ସୁତରାଂ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି।
ଶନିବାର ସନ୍ଧ୍ୟାରେ ସୋସିଆଲ୍ ମିଡିଆ ଇନ୍ଷ୍ଟ୍ରାଗ୍ରାମ୍ ପେଜ୍ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଶ୍ରୀ ପାଣ୍ଡିଆନ। ଏହି ଭିଡିଓରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ?ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା। ହଠାତ୍ ଏଭଳି ଗୋଟିଏ ଭିଡିଓ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶନିବାର ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାନସଭାରେ ୮୦ ଓ ଲୋକସଭାରେ ୧୬ରୁ ଅଧିକ ଆସନରେ ଜିତିବ ବୋଲି ଖୋଦ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର ଦଢୋକ୍ତି ପ୍ରକାଶ କରିଥିଲେ ।
ସେ କହିଥିଲେ ଯେ ଉଭୟ ଦଳ ଭିତରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ବିଜେପି ୮୦ରୁ ଅଧିକ ସିଟ ପାଇ ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କହିଥିଲେ ।
Powered by Froala Editor