ବିଭିନ୍ନ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଲେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ
ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ସେ କହିଲେ ଯେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହାଇସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମ ଜରିଆରେ ୪୬୦୫ଟି ନୂଆ କ୍ଲାସରୁମ୍, ୧୬,୯୨୦ଟି ସ୍ମାର୍ଟ କ୍ଲାସରୁମ, ୭୮୬୩ଟି ଆଧୁନିକ ଲାବୋରେଟୋରୀ, ୭୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । କାର୍ୟ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶିକ୍ଷାର ମାନ ବୃଦ୍ଧି ହେଲେ, ଦେଶର ବିକାଶ ହୁଏ ବୋଲି ସେ ମତ ଦେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ନୈତିକ ବିଚାରଧାରାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି କାର୍ୟ୍ୟକ୍ରମରେ ଦୁଇ ଜଣ ନବନିଯୁକ୍ତ ଶିକ୍ଷୟିତ୍ରୀ ରେଶମା ବେହେରା ଓ ସଶ୍ମିତା ନାୟକ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ବିଭାଗୀୟ ସଚିବ ଅଶ୍ବଥି ଏସ୍ ସ୍ବାଗତ ଭାଷଣ ଏବଂ ନିର୍ଦ୍ଦେଶକ ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Powered by Froala Editor