ଦୀର୍ଘ ବର୍ଷ ସମସ୍ୟାର ହେଲା ସମାଧାନ: ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା
ଭୁବନେଶ୍ବର : ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ୟ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ସିକିମ ରୟତମାନେ ତାଙ୍କୁ ଭେଟି ସେମାନଙ୍କର ଅସୁବିଧା ବିଷୟରେ ଜଣାଇଥିଲେ । ନବୀନ ଓଡିଶା ଅଧ୍ୟକ୍ଷ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମ ଜିଲ୍ଲାରେ ଗ୍ରାମକଣ୍ଠ ଓ ପରମ୍ବୋକ ଜମି ସମସ୍ୟାର ମଧ୍ୟ କିଛି ଦିନ ତଳେ ସମାଧାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ ବୋଲି ସେ କହିଥିଲେ।
ରାଜ୍ୟ ସରକାରଙ୍କ ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ୱତ୍ୱ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତ ହେଲେ। ଏଥି ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ନିଜ ଆଡୁ ମକଦମା କରି ଏହି ସବୁ ସିକିମ ଜମି ସମସ୍ୟାର ସମାଧାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ।
Powered by Froala Editor