ରେଳ ଲାଇନରୁ ମୃତଦେହ ଉଦ୍ଧାର
ଭୁବନେଶ୍ବର : ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା ପଦେବାହାଲ ରେଳ ଲାଇନର ୫୮୮/୩ପ୦୩ ଅଫ ଲାଇନରୁ ଜଣେ ବ୍ୟକ୍ତିଙ୍କର ମୃତ ଶରୀର ରେଲୱେ ପୁଲିସ ଉଦ୍ଧାର କରିଛି । ଏହି ରେଳ ଲାଇନ୍ ରେ କାମ କରୁଥିବା ବେଳେ ଗ୍ୟାଙ୍ଗ ମ୍ୟାନ ମାନେ ରେଳ ଲାଇନ୍ କଡ଼ରେ ପଡ଼ିଥିବା ମୃତ ଶରୀରକୁ ଦେଖି ଅତାବିରା ଷ୍ଟେସନ ମାଷ୍ଟରଙ୍କୁ ବିଷୟରେ ଜଣାଇଥିଲେ । ଷ୍ଟେସନ ମାଷ୍ଟର ଏହି ଖବରକୁ ସମ୍ବଲପୁର ରେଲୱେ ପୁଲିସକୁ ଦେଇଥିଲେ।
ଖବର ପାଇ ସମ୍ବଲପୁର ରେଲୱେ ପୁଲିସ ଅଧିକାରୀ ସୌଦାମିନୀ ନାଗଙ୍କ ନିର୍ଦ୍ଦେଶରେ ଏଏସଆଇ ଜ୍ୟୋତ୍ସ୍ନାରାଣୀ ମହାନ୍ତି ଦୁଇ ଜଣ କର୍ମଚାରୀଙ୍କ ସହ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ପୁଲିସର ଅନୁସନ୍ଧାନରୁ ମୃତ ବ୍ୟକ୍ତିଙ୍କର ପ୍ୟାକେଟରୁ ଗୋଟିଏ ଆଧାର କାର୍ଡ ,ଗୋଟିଏ ଛୋଟ କିପେଡ ମୋବାଇଲ,ଗୋଟିଏ ରେଳ ଟିକେଟ ଓ ତିନିଶହ ଟଙ୍କା ଜବତ କରିଥିଲା । ମିଳିଥିବା ଆଧାର କାର୍ଡ ଭିତ୍ତିରେ ଜଣା ପଡ଼ିଛି ଯେ ମୃତ ବ୍ୟକ୍ତି ଜଣକ ଝାଡ଼ଖଣ୍ଡ ରାଜ୍ୟର ଜିତେନ୍ଦ୍ର କୁମାର ବିଶ୍ଵକର୍ମା। ବୟସ ୩୫ ରୁ ୪୦ ବର୍ଷ ଭିତରେ । ତାଙ୍କର ପରିଚୟ ମିଳିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା। ପରିବାର ବର୍ଗ ଆସିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ ।
Powered by Froala Editor