ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଆସିବେ ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ରେ ସମ୍ବଲପୁର ଗସ୍ତରେ ଆସି ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍) ସମ୍ବଲପୁର କ୍ୟାମ୍ପସ୍ର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ବିମାନବନ୍ଦର, ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ୍, କାର୍ୟ୍ୟକ୍ରମ ସ୍ଥଳରେ ସୁରକ୍ଷା କଡ଼ାକଡି଼ କରାଯିବ ।
ବିଶେଷ କରି କୌଣସି କାର୍ୟ୍ୟକ୍ରମସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡରେ ଯେପରି ଡ୍ରୋନ୍ କ୍ୟାମେରା ବ୍ୟବହାର ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ ଗୃହ ବିଭାଗର ଏକ କଣ୍ଟ୍ରୋଲ ରୁମ୍ ସୁରକ୍ଷା ବ୍ୟବସ୍ଥା ପାଇଁ ଖୋଲାଯିବ ।
କାର୍ୟ୍ୟକ୍ରମସ୍ଥଳରେ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ । “କ୍ରିଟିକାଲ କେୟାର ବକ୍ସ’ ରଖାଯିବ । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଓ ପାନୀୟ ଜଳ ସୁବିଧା ସହ ମଞ୍ଚର ସୁରକ୍ଷା ଯାଞ୍ଚ, ହେଲିପ୍ୟାଡ୍ ଓ ରାସ୍ତାରେ ବ୍ୟାରିକେଡ୍ କରାଯିବ । ଭିଭିଆଇପି ଯିବା ଆସିବା ରାସ୍ତାର ମରାମତି ହେବ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଛି ।ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସବିଶେଷ ସୂଚନା ଦେଇ କହିଥିଲେ, ନୂଆଦିଲ୍ଲୀ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବାୟୁସେନା ବିମାନରେ ଆସି ଅପରାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବେ ।
ଆଇଆଇଏମ୍ କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ସେ ସମ୍ବଲପୁରର “ରେମେଡ୍’ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ ।
Powered by Froala Editor