ସନ୍ଧ୍ୟା ୫ଟାରେ ଶପଥ ନେବେ ନୀତିଶ

ନୂଆଦିଲ୍ଲୀ: ବିହାରରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର । ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସନ୍ଧ୍ୟା ୫ଟାରେ ହେବ ଶପଥ ଗ୍ରହଣ ସମାରୋହ ।
ଇସ୍ତଫା ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି । ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି । ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି । ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି ।
ଆଜି ସକାଳ ୧୦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ବିଧାୟକଙ୍କ ସହମତି ଲୋଡିଥିଲେ ନୀତିଶ । ବୈଠକରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହେବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ନୀତିଶ । ଏହାପରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରି ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ୭୨ ବର୍ଷୀୟ ରାଜନେତା ନୀତିଶ କୁମାର ଆଜି ସନ୍ଧ୍ୟା ୫ଟାରେ ଜେଡିୟୁ-ଏନଡିଏ ମେଣ୍ଟ ସରକାରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
Powered by Froala Editor