୧୧୩୨ ଜଣଙ୍କୁ ସାହସିକତା ସମ୍ମାନ

ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକତା ସମ୍ମାନ ପ୍ରଦାନ କରାଯିବ। ୨୭୫ ଜଣ କର୍ମଚାରୀ ସାହସିକତା ସମ୍ମାନ ପାଇବେ।
୨୭୭ ବୀରତ୍ୱ ପୁରସ୍କାରରୁ ୧୧୯ଟି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ନିୟୋଜିତ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟ ୧୩୩ଟି ଜମ୍ମୁ-କଶ୍ମୀର ଅଞ୍ଚଳର ଯବାନଙ୍କୁ ପ୍ରଦାନ କରାଯିବ। ଜାତିସଂଗ ପକ୍ଷରୁ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ନିୟୋଜିତ ଥାଇ ନିହତ ହୋଇଥିବା ବିଏସ୍ଏଫ୍ ହେଡ୍ କନ୍ଷ୍ଟେବଲ ସନଓ୍ବାଲା ରାମ ବିଷ୍ଣୋଇ ଏବଂ ଶିଶୁପାଳ ସିଂଙ୍କୁ ମରଣୋତ୍ତର ଭାବେ ରାଷ୍ଟ୍ରପତି ବୀରତ୍ୱ ସମ୍ମାନ ପ୍ରଦାନ କରାଯିବ।
ଜମ୍ମୁ-କଶ୍ମୀର ପୋଲିସକୁ ସର୍ବାଧିକ ୭୨ ବୀରତ୍ୱ ମେଡାଲ ମିଳିବାକୁ ଥିବାବେଳେ ୬୫ଟି ସିଆର୍ପିଏଫ୍ ଯବାନଙ୍କୁ ମିଳିବ। ଏହା ବ୍ୟତୀତ ମହାରାଷ୍ଟ୍ରରୁ ୧୮, ଛତିଶଗଡ଼ରୁ ୨୬, ଝାଡ଼ଖଣ୍ଡରୁ ୨୩, ଓଡ଼ିଶାରୁ ୧୫, ଦିଲ୍ଲୀରୁ ୮ ଏବଂ ସଶସ୍ତ୍ର ସୁରକ୍ଷା ବଳ(ଏସ୍ଏସ୍ବି)ରୁ ୨୧ ଯବାନଙ୍କୁ ବୀରତ୍ୱ ସମ୍ମାନରେ ସମ୍ମାନିତ କରାଯିବ।
Powered by Froala Editor