ରାମ ମନ୍ଦିର କାମ ସରିନି, ଆହୁରି ତିଆରି ହେବ ୧୩ଟି ମନ୍ଦିର

ଅଯୋଧ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ମନ୍ଦିରର ଅନେକ କାମ ବାକି ଅଛି। ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି। ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଚାଲିଛି।
ଅଯୋଧ୍ୟାକୁ ବୈଶ୍ବିକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ସେଥିଲାଗି ରାମ ମନ୍ଦିର ପରିସର ଭିତରେ ଓ ବାହାରେ ଅନ୍ୟୂନ ଆହୁରି ୧୩ଟି ମନ୍ଦିର ନିର୍ମାଣ କରାଯିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି। ୧୩ଟି ମନ୍ଦିରରୁ ୬ଟି ରାମ ମନ୍ଦିର ବେଢ଼ା ବା ପରିସର ଭିତରେ ଓ ୭ଟି ବାହାରେ ନିର୍ମାଣ କରାଯିବ।
‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର କୋଷାଧ୍ୟକ୍ଷ ସ୍ବାମୀ ଗୁରୁଦେବ ଗିରି କହିଛନ୍ତି, ମୁଖ୍ୟ ମନ୍ଦିର ନିର୍ମାଣ ଶେଷ କରିବା ସମେତ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି। ଦ୍ୱିତୀୟ ମହଲାରେ ରାମଙ୍କ ପରିବାର ସ୍ଥାପନ କରାଯିବ।
ସୂଚନାନୁସାରେ, ରାମ-ସୀତା ଦ୍ୱିତୀୟ ମହଲାରେ ବିରାଜମାନ ହେବ। ସେମାନଙ୍କ ସହିତ ଭାରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।
ପ୍ରଭୁ ରାମଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବାରୁ ଏଠାରେ ଗଣେଶ, ଶିବ, ସୂର୍ଯ୍ୟଦେବ ଓ ଦେବୀ ଜଗଦମ୍ବାଙ୍କ ମନ୍ଦିର ରହିବ। ଏହି ମନ୍ଦିର ସବୁ ମୁଖ୍ୟ ମନ୍ଦିରର ଚାରି କୋଣରେ ନିର୍ମାଣ ହେବ। ପ୍ରଭୁ ରାମଙ୍କର ପରମ ଭକ୍ତ ହନୁମାନଙ୍କ ଲାଗି ମଧ୍ୟ ପୃଥକ୍ ମନ୍ଦିର ନିର୍ମାଣ କରାଯିବ। ସୀତା ରୋଷେଇ ବୋଲି କୁହାଯାଉଥିବା ସ୍ଥାନରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ନିର୍ମାଣ ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମନ୍ଦିର ପରିସର ବାହାରେ ନିର୍ମାଣ ହେବ ଆଉ ୭ଟି ମନ୍ଦିର। ଋଷି ବାଲ୍ମୀକି, ବୈଶିଷ୍ଠ, ବିଶ୍ୱାମିତ୍ର, ଦେବୀ ଶବରୀ ଓ ପକ୍ଷୀ ଜଟାୟୁଙ୍କ ଲାଗି ଭିନ୍ନ ମନ୍ଦିର ତିଆରି କରାଯିବ।
Powered by Froala Editor