ପାଇପ ଲାଇନ ବିଛାଇବା ବେଳେ ଧସିଲା ମାଟି ଅତଡ଼ା, ୨ ଶ୍ରମିକ ମୃତ

କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ଜଣେ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଦ୍ୱୟ ହେଉଛନ୍ତି ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର।
ମିଳିଥିବା ସୂଚନା ମୁତାବକ, ସୂଚନା ଅନୁଯାୟୀ, ଚେଭ୍ରୋକ୍ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଟ୍ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିଲା। ୧୨ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡିଆଇ ପାଇପ୍ ପକାଯାଉଥିଲା। ଆଜି ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଖାଲ ଭିତରକୁ ପଶି ମାଟି ସମତୁଲ କରୁଥିବା ବେଳେ ହଠାତ୍ ପରୁ ମାଟି ଅତଡ଼ା ଖସି ପଡ଼ିଲା। ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ଅତଡ଼ା ତଳୁ ବାହାରି ଆସିଥିଲେ। କିନ୍ତୁ ଚରଣ ଲୋହାର ଓ ଅର୍ଜୁନ ଲୋହାର ମାଟି ତଳେ ରହି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ପ୍ରାୟ ୧ ଘଣ୍ଟା ବିଳମ୍ବରେ କରାଯାଇଥିଲା ବୋଲି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ମୁକେଶ ସର୍ଦ୍ଦାର ଅଭିଯୋଗ କରିଛନ୍ତି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor