ପ୍ରଭୁ ରାମଙ୍କ ଦ୍ୱିତୀୟ ପ୍ରତିମାର ଚିତ୍ର ବି ଖୁବ୍ ମନୋରମ

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମ ଲଲ୍ଳାଙ୍କୁ ପ୍ରତିଷ୍ଠା କରାଯାଇଛି। ମୈସୁରର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣଶିଳାରେ ନିର୍ମିତ ଏହି ପ୍ରତିମାକୁ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇଛି। ୨.୫ ବିଲିୟନ ବର୍ଷର ପୁରୁଣା କଳାମୁଗୁନି ପଥରରେ ଯୋଗୀରାଜ ମୂର୍ତ୍ତି ନିର୍ମାଣ କରିଥିଲେ। ଯାହାକୁ ବାଲକ୍ ରାମ୍ ଭାବେ ନାମିତ କରାଯାଇଛି।
ତେବେ ନିକଟରେ ଦ୍ୱିତୀୟ ମୂର୍ତ୍ତିର ଚିତ୍ର ଖୁବ୍ ଭାଇରାଲ୍ ହେଉଛି । ଯାହା ଶ୍ୱେତ ବର୍ଣ୍ଣର । ଯାହାକୁ ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିବା କୁହାଯାଉଛି। ୨ଟି ମୂର୍ତ୍ତିରେ ପ୍ରଭୁ ରାମଙ୍କ ଚରଣରେ ହନୁମାନ ବିରାଜମାନ କରିଛନ୍ତି । ଏହାର ଚାରିପଟେ ଭଗବାନ ବିଷ୍ଣୁଙ୍କର ଅବତାର ରହିଛି । ଏଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ଚିତ୍ର ରହିଛି । ଯେଉଁଥିରେ ମତ୍ସ୍ୟ, କୁର୍ମ, ବରାହ, ନରସିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ କଲକି ଅବତାର ରହିଛି ।
୩ ଜଣ କାରିଗରଙ୍କୁ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ ପାଇଁ କୁହାଯାଇଥିଲା। ସେମାନେ ହେଲେ କର୍ଣ୍ଣାଟକର ଅରୁଣ ଯୋଗୀରାଜଙ୍କ ସମେତ ସେହି କର୍ଣ୍ଣାଟକର ଗଣେଷ ଭଟ୍ଟ ଏବଂ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ। ଏବେ ସେହି ମୂର୍ତ୍ତିରେ ଅଳଙ୍କାର ଧାରଣ କରାଯାଇଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି। ଏବେ ପ୍ରାଣ ପ୍ରତିଷ୍ଠା ସହ ପୂଜା ପାଉଛନ୍ତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି। ତେବେ ରାମମନ୍ଦିର ପାଇଁ ନିର୍ମିତ ଅନ୍ୟ ୨ଟି ମୂର୍ତ୍ତି ମନ୍ଦିରର ଯେକୌଣସି ସ୍ଥାନରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ତୃତୀୟ ପ୍ରତିମା ସମ୍ପର୍କରେ ଏଯାବତ୍ ଜଣାପଡିନାହିଁ ।
Powered by Froala Editor