ମୂଲ୍ୟବାନ ରତ୍ନ ଅଳଙ୍କାରରେ ଆଭୂଷିତ ରାମଲଲ୍ଲା

ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ଦିବ୍ୟ ତଥା ଦୁର୍ମୁଲ୍ୟ ଅଳଙ୍କାରରେ ସୁସଜ୍ଜିକ ହୋଇଛନ୍ତି ପ୍ରଭୁ । ଆପାଦ ମସ୍ତକ ଶୋଭା ପାଉଛି ସୁନା, ହୀରା ଓ ବହୁ ରତ୍ନ ପଥର ଖଚିତ ଆଭୂଷଣ। ପ୍ରଭୁଙ୍କ ଏହି ଦିବ୍ୟ ରୂପ ଦେଖି ଅଭିଭୂତ ହୋଇଛନ୍ତି ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ। ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର ବ୍ୟବହାର କରାଯାଇଛି ଏବଂ ବଜାରରେ ଏହି ରତ୍ନର ମୂଲ୍ୟ କେତେ ।
ମୁକୁଟ ବା କିରିଟ ସ୍ୱର୍ଣ୍ଣରେ ନିର୍ମିତ ରହିଛି । ଏଥିରେ ମାଣିକ୍ୟ, ହୀରା ଓ ପନ୍ନା ସହିତ ମୁକ୍ତା ଝରା ଲାଗିଛି । କର୍ଣ୍ଣରେ ସ୍ୱର୍ଣ୍ଣ ନିର୍ମିତ କୁଣ୍ଡଳରେ ହୀରା, ରୁବି ଓ ପନ୍ନା ଖଚିତ ହୋଇଛି। ମୟୂର ଆକୃତିର ଡିଜାଇନ ଏଥିରେ ରହିଛି । ଲଲାଟରେ ମଙ୍ଗଳ ତିଳକ ଶୋଭା ପାଉଛି । ଏହାକୁ ହୀରା ଓ ମାଣିକ୍ୟରେ ତିଆରି କରାଯାଇଛି । କଣ୍ଠା ରତ୍ନପଥର ଖଚିତ ଅର୍ଦ୍ଧଚନ୍ଦ୍ର ଆକୃତିର ହାର । ସ୍ୱର୍ଣ୍ଣ ନିର୍ମିତ ଏବଂ ହୀରା, ରୁବି ଓ ପନ୍ନା ଖଚିତ କଣ୍ଠା । ହୃଦୟରେ ଧାରଣ କରନ୍ତି କୌସ୍ତୁଭ ମଣି । କୌସ୍ତୁଭ ମଣି ବଡ଼ ଆକାରର ମାଣିକ୍ୟ ଓ ହୀରା ଦ୍ୱାରା ଶୋଭା ପାଉଛି । ୫ଟି ଡୋରରେ ପନ୍ନା ଓ ହୀରା ଗୁନ୍ଥା ଯାଇଛି ଏବଂ ତଳେ ବଡ଼ ପେଣ୍ଡେଣ୍ଟ୍ ଝୁଲିଛି । ବିଜୟ ମାଳା ରାମଲାଲାଙ୍କ ତୃତୀୟ ତଥା ଦୀର୍ଘତମ ହାର । ଏହା ସୁନାରେ ନିର୍ମିତ ଏବଂ ସ୍ଥାନେ ସ୍ଥାନେ ମାଣିକ୍ୟ ଖଚିତ । ଅଣ୍ଟାରେ କାଂଚି ବା କର୍ଦ୍ଧନୀ ସୁନାରେ ନିର୍ମିତ ଏବଂ ମୋତି ମାଣିକ୍ୟ ଖଚିତ ।
ଭୁଜବନ୍ଧ ବା ଅଙ୍ଗଦ ଦୁଇ ଭୁଜାରେ ଶୋଭା ପାଉଛି । ଏହା ସୁନା ଓ ବହୁମୂଲ୍ୟ ରତ୍ନ ପଥରରେ ନିର୍ମିତ । ଦୁଇ ହାତରେ ରତ୍ନ ସଜ୍ଜିତ କଙ୍କଣ, ରତ୍ନ ଓ ମୋତି ଲାଗିଥିବା ମୁଦ୍ରିକା ଶୋଭା ପାଉଛି । ରାମଲାଲାଙ୍କ ହାତରେ ଶୋଭା ପାଉଛି ସୁନାର ଧନୁର୍ବାଣ । ପାଦରେ ରହିଛି ହୀରା, ରୁବି ଓ ସୁନା ଖଚିତ ପାଉଁଜି ଓ ଝୁଣ୍ଟିଆ ।
ତଥ୍ୟ ଅନୁସାରେ ୧.୦୩ କ୍ୟାରେଟ୍ ପାନ୍ନା ବା ଏମରାଲ୍ଡର ମୂଲ୍ୟ ୭୧,୯୦୦ ଟଙ୍କା। ସେହିପରି ୧.୨୧ କ୍ୟାରେଟ୍ ରୁବିର ମୂଲ୍ୟ ୧୪,୬୦୦ ଟଙ୍କା ରହିଛି । ଏକ କ୍ୟାରେଟ ହୀରାର ମୂଲ୍ୟ ଅଢେଇ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହୋଇପାରେ । ସେହିପରି କିଛି ହୀରାର ଦାମ୍ ଆହୁରି ଅଧିକ ରହିଛି। ମୋତିର ମୂଲ୍ୟ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ରହିଛି।
Powered by Froala Editor