ଚାରିଆଡେ ଚକାଆଖି, ବେଦପାଠରେ କମ୍ପୁଛି ଶଙ୍ଖକ୍ଷେତ୍ର
ପୁରୀ: ଚାରିଆଡେ ଚକାଆଖି । ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ। ନୟନରେ ନିଳଚକ୍ର । ଭରିଲା ଭକ୍ତର ମନ । ସମୁଦ୍ରକୂଳରୁ ସିଂହଦ୍ୱାର, ବଡ଼ଦାଣ୍ଡରୁ ବଡ଼ ଦେଉଳ ସବୁଠି ନାମ-ସଂକୀର୍ତ୍ତନ । ବେଦପାଠରେ କମ୍ପୁଛି ଶଙ୍ଖକ୍ଷେତ୍ର । ଆଜି ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ । ଅପେକ୍ଷାର ଅନ୍ତ ଘଟିଲା । ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ ୧.୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଗଜପତି ମହାରାଜା ଉପସ୍ଥିତ ଥିଲେ । ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଉଭୟ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ।
ଲୋକାର୍ପଣ ପରେ ଉଭୟ ଯଜ୍ଞକୁଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଚାଲିଥିବା ତ୍ରିଦିନାତ୍ମ ଯଜ୍ଞରେ ଆଜି ପୂର୍ଣ୍ଣାହୂତି ପ୍ରଦାନ କରାଯିବ । ଗଜପତି ମହାରାଜା ଉକ୍ତ ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ହ୍ୟାଲିକପ୍ଟରରେ ଆସି ପୁରୀ ଠାରେ ନିର୍ମିତ ଅସ୍ଥାୟୀ ହ୍ୟାଲିପ୍ୟାଡରେ ପହଞ୍ଚିଥିଲେ । ପରେ ପରେ ସେ ସିଧା ପୁରୀ ବଡ଼ଦାଣ୍ଡ ଯାଇଥିଲେ । ସେଠାରୁ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ଲୋକାର୍ପଣ ଉତ୍ସବକୁ ଯାଇଥିଲେ । ସେଠାରେ ତାଙ୍କୁ ଖଣ୍ଡୁଆ ପାଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମୟରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ ।
Powered by Froala Editor